ଆଜି ଓଡ଼ିଶା ପାଳନ କରୁଛି ମାଣ୍ଡିଆ ଦିବସ, ରାଜ୍ୟବାସୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ମାଣ୍ଡିଆ ଦିବସ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ୟ୍ୟକାରୀ ହେଉଛି । ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ବ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବେଶ ହିତକର। ଏଦିଗରେ ସଚେତନ ହୋଇ ଖାଦ୍ୟ ଶୃଙ୍ଖଳାରେ ମାଣ୍ଡିଆର ବହୁଳ ବ୍ୟବହାର ନେଇ ‘ମାଣ୍ଡିଆ ଦିବସ’ରେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ମାଣ୍ଡିଆଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନିତିଦିନିଆ ଖାଦ୍ୟରେ ସ୍ଥାନ ଦେବା ଏବଂ ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ସମସ୍ତେ ମିଳିତ ହୋଇ ସଂକଳ୍ପ ନେଇ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରି ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା ବୋଲି ରଣେନ୍ଦ୍ର କହିଛନ୍ତି ।
Powered by Froala Editor