୧୫ ବର୍ଷ ପରେ ସାମ୍ବାଦିକା ସୌମ୍ୟା ହତ୍ୟା ମାମଲାର ରାୟ ପ୍ରକାଶ : ୫ ଦୋଷୀ ସାବ୍ୟସ୍ତ

୧୫ ବର୍ଷ ପରେ ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ଘଟଣାରେ ଦିଲ୍ଲୀର ଗୋଟିଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ୫ ଜଣଙ୍କୁ ଦିଲ୍ଲୀର ସାକେତ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲ୍ଲିକ ଓ ଅକ୍ଷୟ କୁମାରଙ୍କୁ ହତ୍ୟା ଓ ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି।
ଆଇପିସି ବ୍ୟତୀତ ସମସ୍ତଙ୍କୁ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜିଡ କ୍ରାଇମ ଆକ୍ଟ ଅନୁସାରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ହେଡଲାଇନ୍ସ ଟୁଡେ ନାମକ ନ୍ୟୁଜ ଚ୍ୟାନେଲରେ ସୌମ୍ୟା କାମ କରୁଥିଲେ। ୨୦୦୮ ମସିହା ସେପ୍ଟେମ୍ବର ମାସରେ ସେ ଅଫିସରୁ କାମ ସାରି ଘରକୁ ଫେରୁଥିଲେ। କିନ୍ତୁ ତାଙ୍କୁ ଦିଲ୍ଲୀର ନେଲସନ ମାଣ୍ଡେଲା ମାର୍ଗରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ତାଙ୍କ କାର୍ ଭିତରୁ ମିଳିଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।
ରାୟ ପ୍ରକାଶ ପାଇବା ପରେ ସୌମ୍ୟାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି, ‘ଆମେ ଆମ ଝିଅକୁ ହରାଇଛୁ, କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିବ।’ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ଚାହୁଛି ବୋଲି ସେ କହିଛନ୍ତି।
Powered by Froala Editor