ଗଙ୍ଗାଜଳ ଉପରେ ଲାଗିନି ଜିଏସ୍ଟି
ଗଙ୍ଗାଜଳ ଉପରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ଲାଗୁ ହୋଇ ନ ଥିବା କେନ୍ଦ୍ର ସରକାର ଗୁରୁବାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ସ୍ପଷ୍ଟ କରିଛି ଯେ ଗଙ୍ଗାଜଳକୁ ଜିଏସଟିରୁ ମୁକ୍ତ କରାଯାଇଛି। ଗଙ୍ଗାଜଳ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲଗାଯାଇଥିବା ଅଭିଯୋଗ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାରଙ୍କୁ ଟାର୍ଗେଟ୍ କରି ସମାଲୋଚନା କରିଥିଲେ। ପରେ କେନ୍ଦ୍ରୀୟ ପରୋକ୍ଷ ଟିକସ୍ ବୋର୍ଡ ପକ୍ଷରୁ ଉପରୋକ୍ତ ସ୍ପଷ୍ଟୀକରଣ ଦିଆଯାଇଛି।
ସିବିଆଇସି କହିଛି ଯେ ଗଙ୍ଗାଜଳ ସାରା ଦେଶରେ ଘରେ ଘରେ ପୂଜାରେ ବ୍ୟବହୃତ ହୁଏ ଏବଂ ଏହି ପୂଜା ସାମଗ୍ରୀକୁ ଜିଏସଟି ଛାଡ଼ କରାଯାଇଛି । ୨୦୧୭ ମେ ୧୮-୧୯ ଓ ୩ ଜୁନ୍ ୨୦୧୭ରେ ଅନୁଷ୍ଠିତ ଜିଏସଟି ପରିଷଦର ଚତୁର୍ଦ୍ଦଶ ଓ ପଞ୍ଚଦଶ ବୈଠକରେ ପୂଜା ସାମଗ୍ରୀ ଉପରେ ଜିଏସଟି ଉପରେ ବିସ୍ତୃତ ଆଲୋଚନା କରାଯାଇ ସେମାନଙ୍କୁ ଛାଡ଼ ତାଲିକାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଜିଏସଟି ଲାଗୁ ହେବା ପରଠାରୁ ଏହି ସବୁ ସାମଗ୍ରୀକୁ ଜିଏସଟିରୁ ବାଦ୍ ଦିଆଯାଇଛି ।
Powered by Froala Editor