ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍ଫ୍ଲୁଏନ୍ସର
ବଲିଉଡ ଅଭିନେତା ଶରଦ କପୁରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ବାର୍ସିଲୋନାରେ ଫୁଟବଲ ଖେଳିବା ବେଳେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ସେ ୱାକର୍ରେ ଚାଲିବା ସହ ଅଧିକାଂଶ ସମୟ ଶୋଇ ରହୁଛନ୍ତି । ମାନସିକ ଅବସାଦରେ ବି ଅଛନ୍ତି । ଏଭଳି ସ୍ଥିତିରେ କିଛି ଲୋକଙ୍କୁ ରିଲ୍ ନିଶା ଘାରିଛି । ସେମାନେ ୫୦ ବର୍ଷୀୟ ଶରଦଙ୍କୁ ଆର୍ଥିକ ସହାୟତା ଦେବା ଆଳରେ ଆସି ରିଲ୍ ବନାଉଛନ୍ତି । କିଛି ଇନ୍ଫ୍ଲୁଏନ୍ସର ଭିଡିଓ ବନାଇବା କ୍ଷଣି ଦାନ ଟଙ୍କା ଫେରାଇ ନେଉଥିବା ଶରଦ ନିଜେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଏକ ନୂଆ ଭାବୁକ ଭିଡିଓ ଶେୟାର କରି ଏଭଳି ନ କରିବାକୁ ଅପିଲ୍ କରିଛନ୍ତି ସେ ।
ଚଳିତମାସ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ସେ ଭିଡିଓ ଶେୟାର କରି ଚଳଚ୍ଚିତ୍ର ଜଗତର ଲୋକଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ଫିଲ୍ମରେ କାମ ଦେବାକୁ ବି ଅପିଲ୍ କରିଥିଲେ । ଭିଡିଓରେ ସେ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଛନ୍ତି । ତାଙ୍କୁ ଅଚାନକ ଏଭଳି ସ୍ଥିତିରେ ଦେଖି କିଛି ଲୋକ ଶରଦଙ୍କୁ ଆର୍ଥିକ ସହାୟତା ଦେବା ଆଳରେ ଆସି ରିଲ୍ ବନାଉଛନ୍ତି । ସେ ଆଉ କାହାକୁ ଭେଟିବେ ନାହିଁ ବୋଲି ବି କହିଛନ୍ତି । ଶରଦଙ୍କ ଦେଖାଶୁଣା କରୁଥିବା ତାଙ୍କ ବନ୍ଧୁ ତଥା ‘ବେଜୁବାନ ଟ୍ରଷ୍ଟ’ର ସଦସ୍ୟା ହେମା ଚୌଧୁରୀ ବି ଏହି ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏଭଳି ପରିସ୍ଥିତିରେ କିଛି ଲୋକ ମିଥ୍ୟା ରିଲ୍ ବନାଇବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ହେମା କହିଛନ୍ତି ।
ଅନ୍ୟପକ୍ଷରେ ସଲମାନ ଖାନ, ସୋନୁ ସୁଦ୍ଙ୍କ ଭଳି କିଛି ଅଭିନେତା ଶରଦଙ୍କୁ ସହାୟତା ପ୍ରଦାନ କରିଛନ୍ତି । ସୋନୁ ତାଙ୍କୁ ଭେଟି ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଅଫର ଦେଇଛନ୍ତି । ବିଗ୍ ବି ମଧ୍ୟ ଆର୍ଥିକ ସହାୟତା ଦେଇଥିବା ଜଣାପଡ଼ିଛି ।
Powered by Froala Editor