ଖର୍ଚ୍ଚ ଚାପ : ଲୁଣ, ସସ୍ ଏବଂ ମସଲା ସବୁ ଦାମ୍ ବଢ଼ିଲା
ପାର୍ବଣ ଋତୁ ଶେଷ ନ ହେଉଣୁ ଖାଉଟି ଉତ୍ପାଦ କମ୍ପାନିଗୁଡ଼ିକ ସେମାନଙ୍କ ସାମଗ୍ରୀ ଦର ବଢ଼ାଇବାକୁ ଲାଗିଲେଣି । ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ଉପରେ ଖର୍ଚ୍ଚ ଚାପ ଲଗାତର ଭାବେ ବୃଦ୍ଧି ପାଉଛି । ଗତ ତ୍ରୟମାସରେ ରିଫାଇନ୍ଡ ପାମ୍ ଅଏଲ, ଦୁଗ୍ଧ, ଚିନି ଏବଂ ପ୍ୟାକେଜିଂ ଲାମିନେଟ୍ସ ଦରରେ ୭% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ଭରଣା ପାଇଁ ଏବଂ ଲାଭ ବଞ୍ଚାଇବା ନିମନ୍ତେ କମ୍ପାନିଗୁଡ଼ିକ ଦର ବଢ଼ାଇବା ସହ ପ୍ୟାକେଟ ସାଇଜ୍ କମାଉଛନ୍ତି । ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ ଏହାର ୫ ଏବଂ ୧୦ ଟଙ୍କିଆ ପ୍ରଡକ୍ଟର ଦାମ ବଢ଼ାଇବାକୁ ତଥା ପ୍ୟାକେଟ ସାଇଜ୍ କମାଇବାକୁ ସଂକେତ ଦେଇଛି।
ଇଲେକ୍ଟ୍ରୋନିକ୍ସ ଏବଂ ହୋମ୍ ଆପ୍ଲାଏନ୍ସେସ୍ ପ୍ରସ୍ତୁତକାରୀ ପ୍ରମୁଖ କମ୍ପାନିଗୁଡ଼ିକ ବି ଦାମ ବଢ଼ାଇବା ଆରମ୍ଭ କରିଦେଲେଣି । ସାମସଙ୍ଗ ଏବଂ ସାଓମି ସପ୍ତାହାନ୍ତରେ ସେମାନଙ୍କ ହ୍ୟାଣ୍ଡ୍ସେଟ ଏବଂ ଟାବ୍ଲେଟ ଦରରେ ୧୮% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଟାଟା କଞ୍ଜ୍ୟୁମର ପ୍ରଡକ୍ଟ୍ସ ଲୁଣ, ସସ୍ ଏବଂ ମସଲା ଦାମ ବଢ଼ାଇଦେଇଛି । ବର୍ଦ୍ଧିତ ଦର ଖୁବ୍ଶୀଘ୍ର ବଜାରରେ ଦେଖିବାକୁ ମିଳିବ । ସେହିଭଳି ଅମୁଲ ଗତ ସପ୍ତାହରେ ଏହାର ଦୁଗ୍ଧ ଦାମ ବଢ଼ାଇଥିଲା । ଆଇଟିସି ମଧ୍ୟ ଏହାର କେତେକ ସାମଗ୍ରୀ ଦର ବୃଦ୍ଧି କରିଛି । ବ୍ରିଟାନିଆର ସିଇଓ ରକ୍ଷିତ ହରଗାଭେ କହିଛନ୍ତି, କମ୍ପାନି ଗତ ତ୍ରୟମାସରେ ଦରରେ ୩.୫% ବୃଦ୍ଧି କରିଥିଲା ଏବଂ ଫିକ୍ସଡ ପ୍ରାଇସ୍ ପ୍ୟାକ୍ରେ ପରିମାଣ କମାଇଥିଲା । ଚଳିତ ମାସ ଆରମ୍ଭରେ ସେ କହିଥିଲେ ଯେ, ପୁନଃ ଦର ବଢ଼ାଇବାର ଯୋଜନା ଚାଲିଛି । ବର୍ତ୍ତମାନ ସ୍ଥିତିରେ ଏହା ଜରୁରୀ ପାଲଟିଛି ।
Powered by Froala Editor