ଜଙ୍ଗଲରୁ ୨୫ ଦିନର ଶିଶୁ କନ୍ୟା ଉଦ୍ଧାର
ସୋରର ଏକ ବୁଦାମୂଳରୁ ଶିଶୁ ଉଦ୍ଧାର ହେବା ଘଟଣା ପରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ରୁ ଶିଶୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି । କେହି ୨୦/୨୫ ଦିନର ଶିଶୁ କନ୍ୟାକୁ ଲୁଗାରେ ଗୁଡାଇ ଜଙ୍ଗଲରେ ଛାଡିଦେଇଥିଲେ । କିଛି ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରିଛନ୍ତି ।
ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲକୁ ସ୍ଥାନୀୟ କିଛି ମହିଳା ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ। ସେମାନେ କାନ୍ଦ ଆସୁଥିବା ସ୍ଥାନ ଆଡ଼କୁ ଯାଇଥିଲେ। ସେମାନେ ଶିଶୁଟି ପାଖରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିଶୁଟି ପାଖରେ କେହି ନଥିଲେ। ଶିଶୁଟିକୁ କେହି ଏକ ଲୁଗାରେ ଶୁଆଇ ଚାଲିଯାଇଥିଲେ।
ମହିଳାମାନେ ସଙ୍ଗେ ସଙ୍ଗେ ଏନେଇ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆଙ୍କୁ ଖବର ଦେଇଥିଲେ। ସରପଞ୍ଚ ସ୍ଥାନୀୟ ଆଶାଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସରପଞ୍ଚ ଓ ଆଶା କର୍ମୀ ଶିଶୁଟିକୁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବହୁ ସମୟ ଧରି ଶିଶୁଟି କିଛି ଖାଇ ନଥିବାରୁ ଅସୁସ୍ଥ ହୋଇପଡ଼ିଥିଲା। ଏବେ ଶିଶୁଟି ସୁସ୍ଥ ଅଛି।
Powered by Froala Editor