ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଚିତ୍ତରଞ୍ଜନ ତ୍ରିପାଠୀ

ନୂଆଦିଲ୍ଲୀ : ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଚିତ୍ତରଞ୍ଜନ ତ୍ରିପାଠୀ । ଉଭୟ ବଲିଉଡ୍ ଓ ଓଲିଉଡରେ କାମ କରୁଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ । ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଭାବେ ଢେର କାମ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ ।
ଖବର ଅନୁଯାୟୀ, ୧୯୭୧ ମସିହାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜନ୍ମିତ ଶ୍ରୀ ତ୍ରିପାଠୀ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଓଲିଉଡ ଏବଂ ବଲିଉଡରେ କାମ କରୁଛନ୍ତି । ବଲିଉଡରେ ଅଭିନୟ ସହ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଛନ୍ତି । ୨୦୧୫ରେ ପ୍ରଥମ ଥର ପାଇଁ ଫିଲ୍ମ ‘ତେରା ମେରା ତେଢ଼ା ମେଢ଼ା’ ମାଧ୍ୟମରେ ବଲିଉଡରେ ନିର୍ଦ୍ଦେଶନା ଦେଇଥିଲେ । ନାଟକ ତଥା ମଞ୍ଚକଳାର ଉନ୍ନତି ପାଇଁ ନୂଆଦିଲ୍ଲୀରେ ‘ସୂତ୍ରଧର’ ନାଟ୍ୟ ଦଳ ଗଢ଼ି ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ହେବ ସାଧନାକୁ ଜାରି ରଖିଛନ୍ତି । ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସର ‘ସାକ୍ରେଡ୍ ଗେମ୍ସ’ ସିରିଜ୍ରେ ତ୍ରିବେଦୀ ଭୂମିକା ପାଇଁ ସେ ବେଶ୍ ପରିଚିତ । ୨୦୦୭ରେ ଶ୍ରୀ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଲେ । ନିର୍ମାଣ କଲେ ଓଡ଼ିଆ ସିନେମା ‘ଧଉଳି ଏକ୍ସପ୍ରେସ୍’ । ଚଳଚ୍ଚିତ୍ରଟି ୩ଟି ବର୍ଗରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ୨୦୦୯ରେ ସେ ଆଉ ଏକ ଚଳଚ୍ଚିତ୍ର କରଥିଲେ ‘ମୁଖ୍ୟମନ୍ତ୍ରୀ’ । ଏହାସହ ୫୦ରୁ ଅଧିକ ମଞ୍ଚ ନାଟକ କରିଛନ୍ତି । ବିଭିନ୍ନ ନାଟକରେ ୫୦୦ ସଙ୍ଗୀତର ସଂଯୋଜନା କରିଛନ୍ତି ।
୨୦୦୭ରେ ‘ଧଉଳି ଏକ୍ସପ୍ରେସ୍’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସିନେମା, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ଶ୍ରେଷ୍ଠ କଣ୍ଠଶିଳ୍ପୀ ଏବଂ ୨୦୧୬ରେ ସିନେମା ‘ଲଭ୍ ୟୁ ଜେସିକା’ ପାଇଁ ଶ୍ରେଷ୍ଠ କମେଡିଆନ୍ ଭାବେ ପୁରସ୍କାର ପାଇଛନ୍ତି । ଏଥିସହ ‘ପ୍ରେମ୍ କୁମାର- ସେଲ୍ସମ୍ୟାନ୍ ଅଫ୍ ଦ ଇଅର’, ‘୪ ଇଡିଅଟ୍ସ’, ‘ନିମ୍କି’, ‘ଅଦୃଶ୍ୟମ୍’ ଭଳି ଅନେକ ଓଡ଼ିଆ ସିନେମା ସହ ହିନ୍ଦୀ ସିନେମା ‘ଦିଲ୍ଲୀ-୬’, ‘ଫାଣ୍ଟମ୍’, ‘ଶାନ୍ଦାର୍’, ‘ପ୍ରମୋଦ ଗୁପ୍ତା ଜେ.ଇ.’, ‘ଶୁଭ ମଙ୍ଗଳ ସାବଧାନ’, ‘ମୁକ୍କାବାଜ’, ‘କାନପୁରିୟା’, ‘ଇନ୍ଦୁ କି ଜୱାନୀ’, ‘ଦଶ୍ବୀ’ ସହ ଟେଲି ପରଦା, ଓଟିଟି ପାଇଁ ‘ଏମ୍.ଓ.ଏମ୍- ମିଶନ୍ ଓଭର ମାର୍ସ’, ‘ରକ୍ତାଞ୍ଚଳ’, ‘ରନ୍ୱେ ଲୁଗାଇ’, ‘ଫର୍ଜି’ ପ୍ରମୁଖରେ ଅଭିନୟ କରିଛନ୍ତି । ଟିଭି ଧାରାବାହିକ ‘ଜାନେ ପେହେଚାନେ ସେ ଅଜ୍ନବି’, ‘ମାନୋ ନା ୟା ନା ମାନୋ’, ‘ୟେ ଇସ୍କ ହୈ’, ‘ଢ଼ୁଣ୍ଡ୍ ଲେଗି ମଞ୍ଜିଲ’ ଏବଂ ‘ସାବ୍ଧାନ ଇଣ୍ଡିଆ’ରେ ସୁନ୍ଦର ଅଭିନୟ ମଧ୍ୟ କରିଛନ୍ତି ।
Powered by Froala Editor