ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା

ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲା ସରକାରୀ ହସ୍ପିଟାଲ୍ରେ ମୃତକଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ତା’ ମଧ୍ୟରେ ୧୨ ଜଣ ନବଜାତ ଶିଶୁ ଅଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ ଏହି ସଂପର୍କରେ ସୂଚନା ଦେଇଛନ୍ତି। ଗତକାଲି ହସ୍ପିଟାଲ୍ରେ ୨୪ ଘଣ୍ଟାରେ ୨୪ ମୃତ୍ୟୁ ଜାତୀୟ ହେଡ୍ଲାଇନ୍ ବନିଥିବା ବେଳେ ଆଜି ଆହୁରି ୭ ଜଣଙ୍କ ଜୀବନ ଯିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି।
ଏଥିପାଇଁ ଔଷଧ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ଡାକ୍ତରଖାନାର ଡିନ୍।
ସେ କହିଛନ୍ତି, ଆମ ଡାକ୍ତରଖାନାରେ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୧୨ ଜଣ ନବଜାତଙ୍କ ମଧ୍ୟରେ ୬ ଜଣ ଶିଶୁପୁତ୍ର ଥିବା ବେଳେ ୬ ଜଣ ଶିଶୁକନ୍ୟା ଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।
୪ ଜଣଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଫୁଡ୍ ପଏଜନ, ୨ ଜଣଙ୍କର କିଡନି ସମସ୍ୟା ଏବଂ ଜଣେ ମହିଳାଙ୍କର ପ୍ରସବ ସମୟରେ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଖାଲି ସେତିକି ନୁହେଁ, ଦୁର୍ଘଟଣାରେ ଅତି ଗୁରୁତର ଥିବା ୩ ରୋଗୀ ଏବଂ ପାକସ୍ଥଳି ଜନିତ ସମସ୍ୟା ପାଇଁ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଡିନ୍।
ଆହୁରି ପ୍ରାୟ ୬୫ ଜଣ ରୋଗୀ ଅତି ଗୁରୁତର ଅଛନ୍ତି ଏବଂ ଜୀବନ ସହ ସଂଘର୍ଷ କରୁଛନ୍ତି । ଏହି ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି, ଏହି ଘଟଣା ପାଇଁ ଟ୍ରିପଲ୍ ଇଞ୍ଜିନ ସରକାର (ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନ୍ସିପି) ନିଜକୁ ଦାୟୀ କରି ଦାୟିତ୍ୱ ନେବା କଥା।
Powered by Froala Editor