ଆଜି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ୩ ପର୍ୟ୍ୟନ୍ତ ପ୍ରବଳ ବର୍ଷା
ଭୁବନେଶ୍ବର : ମ୍ୟାଁମାର ଓ ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଗୁରୁବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଆଜି ପୂର୍ବ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପରେ ପରିଣତ ହେବ। ଉତ୍ତର ଓଡ଼ିଶା ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଆଡ଼େ ଗତି କରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ୩୦ ସେପ୍ଟେମ୍ବରରୁ ୩ ଅକ୍ଟୋବର ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା (୭ରୁ୧୧ ସେ.ମି.) ଏବଂ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।
ବିଶେଷ କରି ୨୯ରୁ ୩୦ ତାରିଖ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ।
ଅନ୍ୟପକ୍ଷରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏ ନେଇ ହଳଦିଆ ସତର୍କତା ଜାରି କରାଯାଇଛି। ୧ ତାରିଖରୁ ବର୍ଷା ପରିମାଣ ବଢ଼ିବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ଅନୁଗୋଳ ଜିଲାରେ ଅଧିକ ବର୍ଷା ହେବ। ୩ ତାରିଖ ଯାଏଁ ଏପରି ପାଣିପାଗ ଲାଗି ରହିବ। ଏହି ସମୟରେ ଜଳବନ୍ଦୀ, ଭୂସ୍ଖଳନ ପରି ସମସ୍ୟା ଦେଖା ଦେବ।
Powered by Froala Editor