ପୁଅ ଆଗରେ ବାପାକୁ ଅପହରଣ କରି ମାରିଦେଲେ

ମଣିପୁରର ଇମ୍ଫାଲ ପୂର୍ବ ଜିଲ୍ଲାର ଖୁନିଙ୍ଗଥେକ୍ ଗ୍ରାମରେ ଜଣେ ଯବାନଙ୍କୁ ଘରୁ ଅପହରଣ କରି ମାରି ଦିଆଯାଇଛି । ଯବାନ ଜଣକ କଙ୍ଗପୋକପି ଜିଲ୍ଲାର ଲେଇମାଖୋଙ୍ଗ ଠାରେ ସେନାର ଡିଫେନ୍ସ ସିକ୍ୟୁରିଟି କର୍ପସ (ଡିଏସସି) ପ୍ଲାଟୁନର ସିପାହୀ ସେର୍ତୋ ଥାଙ୍ଗଥାଙ୍ଗକମ୍ ବୋଲି ଜଣାପଡ଼ିଛି। ସେ ଇମ୍ଫାଲ ପଶ୍ଚିମର ତରୁଣଗର ବାସିନ୍ଦା ବୋଲି ସେନା ଅଧିକାରୀମାନେ କହିଛନ୍ତି। ସିପାହୀଙ୍କ ପରିବାରରେ ପତ୍ନୀ, ଝିଅ ଓ ପୁଅ ଅଛନ୍ତି।
ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ତାଙ୍କ ୧୦ ବର୍ଷର ପୁଅ । ପୁଅଙ୍କ କହିବା ଅନୁସାରେ, ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ତାଙ୍କ ବାପା ଓ ସେ ବାରଣ୍ଡାରେ କାମ କରୁଥିବା ବେଳେ ୩ ଜଣ ଅଜଣା ସଶସ୍ତ୍ର ବ୍ୟକ୍ତି ସେମାନଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ସିପାହୀଙ୍କ ମୁଣ୍ଡରେ ପିସ୍ତଲ ରଖି ତାଙ୍କୁ ଏକ ଧଳା ଗାଡିରେ ବସାଇ ଘଟଣାସ୍ଥଳରୁ ନେଇ ଫେରାର ହୋଇ ଯାଇଥିଲେ। ରବିବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଇମ୍ଫାଲ ପୂର୍ବର ସୋଗୋଲମାଙ୍ଗ ପିଏସ୍ ଅନ୍ତର୍ଗତ ମୋଙ୍ଗଜାମର ପୂର୍ବରେ ଥିବା ଖୁନିଙ୍ଗଥେକ୍ ଗ୍ରାମରୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିଛି।
Powered by Froala Editor