ହାତୀଙ୍କ ଭିଡିଓ କରିବା ମହଙ୍ଗା ପଡିଲା, ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା

ଜଙ୍ଗଲରେ ହାତୀଙ୍କ ଭିଡିଓ କରିବା ମହଙ୍ଗା ପଡିଲା । ମହାରାଷ୍ଟ୍ରର ଗଡ଼ଚିରୋଲୀ ଜିଲ୍ଲାରେ ବନ ବିଭାଗର ଜଣେ କର୍ମଚାରୀ ଭିଡଓ ଉତ୍ତୋଳନ କରୁଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା କଥା ବନ ବିଭାଗ କହିଛି। ନିହତ ବନ କର୍ମଚାରୀ ହେଉଛନ୍ତି ଡ୍ରାଇଭର୍ ବି. ଅତରାମ। ଘଟଣାସ୍ଥଳରୁ ଅତରାମଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରିବାକୁ ଉପଜିଲ୍ଲା ହସ୍ପିଟାଲ୍ ବାସଲାକୁ ପଠାଯାଇଛି। ବନ ବିଭାଗର ପଦସ୍ଥ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପଲାସଗାଓଁ ଜଙ୍ଗଲକୁ ବଣୁଆ ହାତୀମାନେ ଆସିଥିବା ଗ୍ରାମବାସୀଙ୍କଠାରୁ ସୂଚନା ପାଇ ଅତରାମଙ୍କ ସମେତ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବନ ବିଭାଗ ଟିମ୍ ହାତୀପଲକୁ ଘଉଡ଼ାଉ ଥିବା ବେଳେ ଅତରାମ ରାସ୍ତାକଡ଼ରେ ଗାଡ଼ି ରଖି ଭିଡିଓ ରେକର୍ଡିଙ୍ଗ୍ କରୁଥିଲେ। ଏତିକି ବେଳେ ଗୋଟାଏ ହାତୀ ତାଙ୍କ ଆଡ଼କୁ ଧାଇଁ ଆସିଥିଲା। ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇ ଆସିଲା ବେଳେ ଅତରାମ ତଳେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଦଳି ମାରିପକାଇଲା।
Powered by Froala Editor