ସବସିଡି ବିବାଦ : ହିମନ୍ତ କହିଲେ, ଯଦି କେହି ଏହାର ପ୍ରମାଣ ଦେଇଦେବେ, ତା’ହେଲେ ମୁଁ ଅବସର ନେବି
କେନ୍ଦ୍ର ଠାରୁ ଅହେତୁକ ରିହାତି ପାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା ।ଋଣ ରିହାତି ବାବଦରେ ସେ ଜଡ଼ିତ ଥିବା କମ୍ପାନୀ ୧୦ କୋଟି ଟଙ୍କାର ଲାଭ ପାଇଥିବା କିଛି ଦସ୍ତାବିଜ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିବାଦ ଘନଉଥିବା ବେଳେ ହିମନ୍ତ ବିଶ୍ୱଶର୍ମା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗୁରୁବାର ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ ଯଦି ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୁଏ ତେବେ ସେ ସାଧାରଣ ଜୀବନରୁ ଅବସର ନେବେ।
କଂଗ୍ରେସ ଅଭିଯୋଗ କରିଛି ଯେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ପତ୍ନୀଙ୍କ ସହ ଜଡିତ ଏକ ମିଡିଆ ତଥା ମନୋରଞ୍ଜନ କମ୍ପାନୀ ଏକ ସ୍ବତନ୍ତ୍ର କେନ୍ଦ୍ରୀୟ ଯୋଜନା ଅଧୀନରେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟରୁ ଋଣ ସମ୍ବନ୍ଧୀୟ ସବସିଡି ୧୦କୋଟି ଟଙ୍କା ପାଇଛି। ଭାରତର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କିଷାନ ସମ୍ପଦ ଯୋଜନା ଆରମ୍ଭ କରିଥିଲେ, କିନ୍ତୁ ଆସାମର ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଭାବକୁ ବ୍ୟବହାର କରିଥିଲେ, ତାଙ୍କ ପତ୍ନୀଙ୍କ କମ୍ପାନୀକୁ ଋଣ ସବସିଡିର ଅଂଶ ଭାବରେ ୧୦ କୋଟି ଟଙ୍କା ପାଇବାରେ ସାହାଯ୍ୟ କରିଛି। ତେବେ ଭାଜପା ନେତା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବ ଟ୍ୱିଟର)ରେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ମୁଁ ପୁଣିଥରେ କହିବାକୁ ଚାହେଁ ଯେ ମୋ ପତ୍ନୀ କିମ୍ବା ସେ ଜଡ଼ିତ ଥିବା କମ୍ପାନୀ ଭାରତ ସରକାରଙ୍କ ଠାରୁ କୌଣସି ଟଙ୍କା ପାଇ ନାହାନ୍ତି। ଯଦି କେହି ଏହାର ପ୍ରମାଣ ଦେଇଦେବେ, ତା’ହେଲେ ମୁଁ ଅବସର ସହ ସବୁ ପ୍ରକାରର ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ।”
Powered by Froala Editor