ରୁଟିର ଋଣ ସୁଝିଲା ମାଙ୍କଡ଼ : ମଲାପରେ ପାଖରେ ବସିଲା, ଚାଦର କାଢ଼ି ମୁହଁ ଦେଖିଲା
ମଣିଷ ହୋଇବି ମରିଗଲା ପରେ କିଏ କାହାକୁ ପଚାରୁଛି । କିନ୍ତୁ ପଶୁ ବିଶ୍ୱାସ ଘାତକତା କରେନି । ଯାହାର ପ୍ରମାଣ ଦେଇଛି ମାଙ୍କଡଟିଏ । କୁହାଯାଉଛି ରୁଟି ଖାଇବାକୁ ଦେଉଥିବା ଚାଷୀଙ୍କ ଋଣ ସୁଝିବାକୁ ମାଙ୍କଡ଼ ଆସିଥିଲା ।
ଲକ୍ଷ୍ମୀପୁର ଖେରୀର ଗୋନ୍ଧିୟା ଗ୍ରାମ ନିବାସୀ ଚନ୍ଦନଲାଲ ନ୍ବର୍ମାଙ୍କର ମଙ୍ଗଳବାର ଦେହାନ୍ତ ହୋଇଥିଲା। ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ କାନ୍ଦୁଥିଲେ। ହଠାତ ଏକ ମାଙ୍କଡ଼ ଆସି ଚନ୍ଦନଲାଲଙ୍କ ଉପରେ ପଡ଼ିଥିବା ଚାଦର କାଢ଼ି ତାଙ୍କ ମୁହଁକୁ ଦେଖିଥିଲା। ମାଙ୍କଡ ତାଙ୍କ ପରିବାର ସଦସ୍ୟଙ୍କ ପାଖରେ ବସି କାନ୍ଦିବାକୁ ଲାଗିଲା। ସେ କାନ୍ଦୁଥିବା ମହିଳାଙ୍କ ଉପରେ ହାତ ଦେଇ ସାନ୍ତ୍ୱନା ମଧ୍ୟ ଦେଇଥିଲା। ମାଙ୍କଡ଼ର ଏହି କାର୍ଯ୍ୟକଳାପ ଆଲୋଚନାର ବିଷୟ ପାଲଟିଛି।
ଗ୍ରାମବାସୀଙ୍କ କହିବାନୁସାରେ, ଚନ୍ଦନଲାଲ ଦିନସାରା କ୍ଷେତରେ ରହି ଜଙ୍ଗଲ କଡ଼ରେ ଏକ କୁଡିଆ କରି ବିଭିନ୍ନ ପ୍ରାଣୀମାନଙ୍କଠାରୁ ଫସଲକୁ ରକ୍ଷା କରିଥିଲେ। ସେ ଘରୁ ନେଇଥିବା ଖାଦ୍ୟରୁ ମାଙ୍କଡ଼କୁ ଗୋଟିଏ ରୁଟି ଦେଉଥିଲେ। ସେ ଖାଇବା ସମୟରେ ମାଙ୍କଡ଼ ତାଙ୍କ ପାଖକୁ ଆସୁଥିଲା। ଚନ୍ଦନଲାଲଙ୍କ ମୃତ୍ୟୁ ପରେ ମାଙ୍କଡଟି କେମିତି କେଜାଣି ଜାଣିପାରି ଘର ନିକଟକୁ ଆସିଥିଲା । ତାଙ୍କ ମୃତ୍ୟୁରେ ସେ ଭାଙ୍ଗି ପଡିଥିବା ଜଣାପଡୁଥିଲା ।
ଗ୍ରାମବାସୀଙ୍କ ଉପସ୍ଥିତି ମାଙ୍କଡ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା। ସେ ମୃତଦେହ ନିକଟରେ ବସି ରହିଥିଲା। ଯେତେବେଳେ ପରିବାର ଓ ଗ୍ରାମବାସୀ ଶେଷ ରୀତିନୀତି ପାଇଁ ଚନ୍ଦନଲାଲଙ୍କ ମୃତଦେହ ନେଇଥିଲେ, ମାଙ୍କଡ ସେଠାରୁ ପଳାଇ ଯାଇଥିଲା।
Powered by Froala Editor