ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ ଅବୈଧ ସନ୍ତାନ

ନୂଆଦିଲ୍ଲୀ: ଅବୈଧ ବୈବାହିକ ସମ୍ପର୍କରୁ ଜାତ ସନ୍ତାନମାନେ ପୈତୃକ (ପ୍ୟାରେଣ୍ଟ) ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ। ହିନ୍ଦୁ ବିବାହ ଆଇନ ଅନୁସାରେ ଏହି ସନ୍ତାନମାନେ ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ ବୋଲି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେ.ପି ପାର୍ଡିୱାଲା ଓ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ପୀଠ ରାୟ ଶୁଣାଇ କହିଛନ୍ତି ଯେ ପାରିବାରିକ ସମ୍ପତ୍ତିର ଭାଗବଣ୍ଟାରୁ ନିଜର ଅଂଶ ପାଇଥିବା ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ହିନ୍ଦୁ ବିବାହ ଆଇନର ଧାରା ୧୬ ଆଧାରରେ ତାଙ୍କ ବୈଧ ସନ୍ତାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସମ୍ପତ୍ତିର ଅଂଶ ଅବୈଧ ସମ୍ପର୍କରୁ ଜାତ ସନ୍ତାନ ପାଇଁ ମଧ୍ୟ ଧାର୍ଯ୍ୟ ହେବ। ପୂର୍ବରୁ ୨୦୧୧ରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ପୀଠ ଅଗ୍ରାହ୍ୟ କରିଥିଲେ।
ପୂର୍ବ ରାୟରେ କେବଳ ବୈଧ ବୈବାହିକ ସମ୍ପର୍କରୁ ଜାତ ସନ୍ତାନଙ୍କୁ ପୈତୃକ ସମ୍ମତିରେ ଅଧିକାର ମିଳିବ ଏବଂ ଅବୈଧ ସନ୍ତାନ ଏଥିରୁ ଭାଗ ପାଇପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା। ପୀଠ କହିଛନ୍ତି ଯେ ସମ୍ପ୍ରତି ସାମାଜିକ ରୀତିନୀତି ଅନେକ ବଦଳି ଗଲାଣି। ପୂର୍ବରୁ ଯାହା ଅବୈଧ ଥିଲା, ଏବେ ତାହା ବୈଧ ହୋଇଗଲାଣି। ବୈଧତାର ସଂଜ୍ଞା ପରିବର୍ତ୍ତନ ହେଲାଣି। ଏପରି ସ୍ଥଳେ ଆଇନ ସ୍ଥାଣୁ ହୋଇପାରିବ ନାହିଁ; ବରଂ ପରିବର୍ତ୍ତିତ ଧାରା ସହିତ କାର୍ଯ୍ୟକାରୀ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୧ରୁ ଏହି ମାମଲା ବିଚାରାଧୀନ ଥିଲାବେଳେ ଗତ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟର ଏକ ଦୁଇ ଜଣିଆ ପୀଠ ଉକ୍ତ ମାମଲାର ବିଚାର କରିଥିଲେ। ପରେ ସେହି ବର୍ଷ ମାର୍ଚ୍ଚ ୩୧ରେ ଏହା ବୃହତ୍ତର ପୀଠକୁ ବିଚାର ପାଇଁ ପଠା ଯାଇଥିଲା। ପୀଠରେ ଅବୈଧ ସନ୍ତାନ କେବଳ ପିତାଙ୍କ ଅର୍ଜିତ ସମ୍ପତ୍ତି କିମ୍ବା ତାଙ୍କ ପୈତୃକ ସମ୍ପତ୍ତିରୁ ଭାଗ ପାଇବ ତା’ ଉପରେ ସବିଶେଷ ତର୍ଜମା ହୋଇଥିଲା।
Powered by Froala Editor