ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ବର୍ଷା
ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ। କାଳବୈଶାଖୀ ପ୍ରଭାବରେ ଭାରତର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ଉତ୍ତର-ପଶ୍ଚିମ ଭାରତର କିଛି ଅଂଶ, ମଧ୍ୟ ଭାରତର କିଛି ଅଂଶ ଏବଂ ଉପଦ୍ୱୀପ ଭାରତର ସଂଲଗ୍ନ ଅଞ୍ଚଳ ଏବଂ ଉତ୍ତର-ପୂର୍ବର ଦକ୍ଷିଣ ଅଂଶରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବାର ସମ୍ଭାବନା ଅଛି। ତେବେ ହିମାଳୟ ପାଦଦେଶର କିଛି ଅଂଶ, ବିଶେଷକରି ଦକ୍ଷିଣ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ, ଏବଂ ଉତ୍ତର-ପୂର୍ବ ବିହାର, ପୂର୍ବ ଉପକୂଳ ରାଜ୍ୟ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ସ୍ୱାଭାବିକ ଅପେକ୍ଷା ଆଉ ତିନିରୁ ଚାରି ଦିନ ପାଇଁ ଗ୍ରୀଷ୍ମ ଲହରୀ ଜାରି ରହିବ।
ପାଣିପାଗ ବିଭାଗ ସୂଚନା ମୁତାବକ, ୧୯୭୧ରୁ ୨୦୨୦ ପର୍ଯ୍ୟନ୍ତ ହାରାହାରି ୬୪.୧ ମିଲିମିଟର ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ରେକର୍ଡ କରାଯାଇପାରେ। ମେ ୩ରୁ ୬ ତାରିଖ ମଧ୍ୟରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଏବଂ ଉତ୍ତର ଭାରତ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ତେବେ ପଶ୍ଚିମବଙ୍ଗ, ସିକିମ ଏବଂ ଉତ୍ତର-ପୂର୍ବ ଭାରତର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ଏହି ବର୍ଷା ତାପମାତ୍ରାରୁ ତ୍ରାହି ମିଳିବା ସହ ଚାଷ କାର୍ଯ୍ୟ ପାଇଁ ସହାୟକ ହେବ। ହେଲେ କମ୍ ସମୟ ମଧ୍ୟରେ ଅଧିକ ବର୍ଷା ହେଲେ ଫସଲ ହାନି ଏବଂ ସହରାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମେ ୧୪ ରୁ ୨୦ ମଧ୍ୟରେ ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ପବନ ତୀବ୍ର ହେବାର ଆଶା କରାଯାଉଛି। ମୌସୁମୀ ସାଧାରଣତଃ ମେ ୨୦ ପାଖାପାଖି ଆଣ୍ଡାମାନ ସାଗରରେ ପହଞ୍ଚିଥାଏ।
Powered by Froala Editor