ରଙ୍ଗେଇଲୁଣ୍ଡା ବିମାନବନ୍ଦର ସମ୍ପ୍ରସାରଣ ପାଇଁ ୩୦.୫୬ କୋଟି ଟଙ୍କା ବ୍ୟୟବରାଦ
ଭୁବନେଶ୍ୱର : ରଙ୍ଗେଇଲୁଣ୍ଡା ବିମାନବନ୍ଦରରୁ ଖୁବ୍ଶୀଘ୍ର ଆରମ୍ଭ ହେବ ବିଧିବଦ୍ଧ ବିମାନ ଉଡ଼ାଣ। ତେବେ ଏହା ପୂର୍ବରୁ ବିମାନବନ୍ଦରରେ ଭିତ୍ତିଭୂମି ନିର୍ମାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି ବିମାନବନ୍ଦରକୁ ୨-ବି ବର୍ଗକୁ ଉନ୍ନିତ କରିବା ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ୩୦.୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବର୍ଷେ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟଧାର୍ୟ୍ୟ ହୋଇଛି।
ସୂଚନା ଅନୁସାରେ ଗତ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ। ତେବେ ଏହି ବିମାନବନ୍ଦରର ସମ୍ପ୍ରସାରଣ ଆବଶ୍ୟକତା ରହିଛି। ବିଶେଷକରି ୮୫୦ ମିଟର ଲମ୍ବର ରନୱେର ପରିସର ବୃଦ୍ଧି କରିବା ସହିତ ଟର୍ମିନାଲ କୋଠା, ଏଟିସି ଟାୱାର ଆଦି ନିର୍ମାଣ କରାଯିବ। ସେହିପରି ଅଧିଗ୍ରହଣ କରାଯାଇଥିବା ଜମିରେ ପାଚେରି ନିର୍ମାଣ, ବିମାନ ରହିବା ପାଇଁ ଆପ୍ରୋନ୍ ଆଦି ନିର୍ମାଣ କରାଯିବ। ଏହି ଉଦେଶ୍ୟରେ ରାଜ୍ୟ ସରକାର ୩୦.୫୬ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଛନ୍ତି। ରଙ୍ଗେଇଲୁଣ୍ଡାର ବିମାନ ଉଡ଼ାଣ ପାଇଁ ଇଣ୍ଡିଆ ୱାନ୍ ଏୟାରଲାଇନ୍ସର ୯ ସିଟ୍ ବିଶିଷ୍ଟ ବିମାନ ନିୟୋଜିତ କରାଯାଇଛି। ତେବେ ସୁଡ୍ୟୁଲ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ମିଳିବା ବାକି ଅଛି।
Powered by Froala Editor