କୋଭିଡରେ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍ସନ୍ ବ୍ୟବସ୍ଥା - ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପେନ୍ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ।
ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବ୍ଲାକ ଫଙ୍ଗସର ରୋଗୀ ବହୁ ସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତାଲିମପ୍ରାପ୍ତ ଡାକ୍ତର ଓ ମେଡିସିନ୍ ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାଜ୍ୟର ମେଡିକାଲ କଲେଜ ସମେତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଓ ନନ୍-କୋଭିଡ ବ୍ଲାକ୍ ଫଙ୍ଗସ ରୋଗୀଙ୍କୁ ଚିହ୍ନଟ କରି ଅଲଗା ଅଲଗା ୱାର୍ଡରେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ ଦ୍ବିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଜ୍ଞତାକୁ ଉପଯୋଗ କରି ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଫୋକସ ରଖି ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ କମ୍ ରହିଛି ଏବଂ ଅଧିକାଂଶ ଜିଲ୍ଲାରେ ପଜିଟିଭ କେସ୍ ମଧ୍ୟ ହ୍ରାସ ପାଇଲାଣି । କିନ୍ତୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତାସହିତ ୨୪ ମଇରୁ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ବ୍ୟାପକ ସଚେତନତା କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ଜିଲ୍ଲାପାଳ ମାନେ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେବା ସହିତ ଚିହ୍ନଟ ରୋଗୀ ମାନଙ୍କର ଚିକିତ୍ସା ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଗୋଷ୍ଠୀକୁ ସକ୍ରିୟ ଭାବରେ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଟିକାକରଣ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତ ଲହର ଏବଂ Variant ବିରୁଦ୍ଧରେ ଲଢିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ସମସ୍ତ ବାଧାବିଘ୍ନ ସତ୍ତ୍ବେ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁମତେ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ମାସରେ ଟିକା ଯୋଗାଣ ଉପରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ଜାତିସଂଘର ସଂସ୍ଥା United Nations Office for Disaster Risk Reduction ପକ୍ଷରୁ ଓଡିଶାର ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମକୁ ସ୍ବୀକୃତି ପ୍ରଦାନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାବାସୀଙ୍କ ସଂପୂର୍ଣ୍ଣ ସହଯୋଗ ଯୋଗୁ ହିଁ ଆମେ ଏହା ହାସଲ କରିପାରିଛୁ । ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଲକ୍ଡାଉନ ନିୟମ ତଥା କୋଭିଡ ନିୟମାବଳୀ କଡାକଡି ପାଳନ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ।
Powered by Froala Editor