ଛାତ୍ରୀ ସାଜି ପରୀକ୍ଷା ଦେଉଥିଲେ ଅଧ୍ୟାପିକା, ଗିରଫ ହେଲେ

ଉଦଳା : ଗିରଫ ହେଲେ ଅଧ୍ୟାପିକା । ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ। ହେଲେ ଧରା ପଡିଗଲା ଅଧ୍ୟାପିକାଙ୍କ ଚାଲିକିଆ କାରସାଦି। ଆଉ ଏବେ ଗିରଫ ହୋଇ ଜେଲର ଚାରିକାନ୍ଥ ଭିତରେ ଅଛନ୍ତି ଅଧ୍ୟାପିକା । ସେହି ଅଧ୍ୟାପିକା ଜଣକ ହେଲେ ମୟୂରଭଞ୍ଜ ଉଦଳାର ତୁଳିକା ଆଶ । ଅଧ୍ୟାପିକା ଜଣକ ନିଜେ ଜଣେ ଛାତ୍ରୀ ସାଜି ପରୀକ୍ଷା ଦେବାକୁ ଆସି ନଥିବା ଜଣେ ଛାତ୍ରୀଙ୍କ ଖାତାରେ ଲେଖିବା ସହ ମିଥ୍ୟା ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ମାରିଛନ୍ତି ।
ଖବର ଅନୁଯାୟୀ, ଗତ ଜୁଲାଇ ୨୭ ତାରିଖରେ କଲେଜର ଜୁଲୋଜି ବିଭାଗରେ ୪ର୍ଥ ସେମିଷ୍ଟାର ଚାଲିଥିବା ବେଳେ ଅଧ୍ୟାପିକା ତୁଳିକା ଆଶ ପରୀକ୍ଷା ଦେବାକୁ ଆସି ନଥିବା ଜଣେ ଛାତ୍ରୀଙ୍କ ଖାତାରେ ନିଜେ ଉତ୍ତର ଲେଖିବା ସହିତ ସେହି ଖାତାରେ ମିଛ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ଆଧାର କରି କଲେଜ ପ୍ରିନ୍ସିପାଲ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ସେ ପ୍ରିନ୍ସିପାଲଙ୍କୁ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ପରେ ଏନେଇ ଉଦଳା ଥାନାରେ କଲେଜ ପ୍ରିନ୍ସିପାଲ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ କରି ପୋଲିସ୍ ଅଭିଯୁକ୍ତ ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି ।
Powered by Froala Editor