ଅଟୋକୁ ପଛରୁ ପିଟିଲା କଣ୍ଟେନର, ୩ କାଉଡ଼ିଆ ମୃତ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳ ଖିରେଇଟାଙ୍ଗିରି ଠାକୁରାଣୀଶାଳ ନିକଟରେ ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ସନ୍ତେଇଭଞ୍ଜ ଗ୍ରାମକୁ ଫେରୁଥିବା ଏକ ଡାଲା ଅଟୋକୁ ପଛରୁ ଏକ କଣ୍ଟେନର ଧକ୍କା ଦେବାରୁ ଦୁର୍ଘଟଣାରେ ଅଟୋ ଡାଲାରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଉଭୟ ମୃତ ଓ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ତୁରୁମୁଙ୍ଗା ଥାନାଧିକାରୀ ଇନ୍ଦ୍ରଜିତ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି ।
ଖବରରୁ ପ୍ରକାଶ ଯେ ତେଲକୋଇ ବ୍ଲକ ସନ୍ତେଇଭଞ୍ଜ ଗ୍ରାମରୁ ଏକ ଡାଲା ଅଟୋରେ ୭ ଜଣ ବ୍ୟକ୍ତି ସ୍ୱାମପାଟଣା ଶିବ ମନ୍ଦିରକୁ ଜଳ ଲାଗି କରିବା ପାଇଁ ଆସିଥିଲେ। ସେମାନେ ପାଟଣାରେ ଜଳ ଲାଗି କରିବା ପରେ ଗ୍ରାମକୁ ୪୯ ନଂ ଜାତୀୟ ରାଜପଥରେ ଡାଲା ଅଟୋରେ ଘରକୁ ଫେରୁଥିବା ବେଳେ ଖିରେଇଟାଙ୍ଗିରୀ ଠାକୁରାଣୀ ଶାଳ ନିକଟରେ ଥିବା ହମ୍ପସରେ ଅଟୋଟି ବ୍ରେକ ମାରିବା ମାତ୍ରେ ପଛେ ପଛେ ଆସୁଥିବା କଣ୍ଟେନର ଡାଲା ଅଟୋଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସନ୍ତେଇଭଞ୍ଜ ଗ୍ରାମର ଦୀପକ କୁମାର ନାଏକ(୨୫), ଗୁରୁ ନାଏକ(୪୫) ଓ ଲିଙ୍ଗା ନାଏକ(୫୦)ଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଗ୍ରାମର ପିନୁ ପ୍ରଧାନ(୧୯), ରଞ୍ଜନ ନାଏକ (୨୬),ତାପସ ନାଏକ(୨୬) ଓ ଅଟୋ ଚାଳକ ରାଇପାଳ ଗ୍ରାମର କଳିଙ୍ଗ ପେଣ୍ଠେଇ(୨୦)ଥିବା ଜଣାପଡିଛି। ଦୁର୍ଘଟଣା ପରେ କଣ୍ଟେନରଟି ଫେରାର ହୋଇଯାଉଥିବାବେଳେ ତେଲକୋଇ ଜଗମୋହନପୁର ନିକଟରୁ ଧରାପଡିଛି ।
Powered by Froala Editor