ବାତ୍ୟାରେ ବାଲେଶ୍ୱରରେ ୨୪,୫୦୦ ପକ୍ଷୀ ମୃତ
ଭୁବନେଶ୍ୱର: ବାତ୍ୟା ‘ୟଶ’ ପ୍ରଭାବରେ ବାଲେଶ୍ୱରରେ ୨୪,୫୦୦ରୁ ଊଦ୍ଧ୍ୱର୍ ପକ୍ଷୀଙ୍କ ମୃତୁ୍ୟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିଆଯାଇଥିବା ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
ଏହାଛଡ଼ା ଜିଲ୍ଲାର ୧୨ଟି ବ୍ଲକର ୨୭୨୨ଟି ଗାଁ ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ମୋଟ ୧୯ ଲକ୍ଷ ୨୩ ହଜାର ୬୯୯ ଜଣ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି । ୪୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ୪,୮୦୯ଟି ଘର କ୍ଷତିଗ୍ରସ୍ତ ହୋଇଛି । ଭାଙ୍ଗିଥିବା ଘରର ମୂଲ୍ୟ ୧ କୋଟି ୯୬ ଲକ୍ଷ ୮୩ ହଜାରରୁ ଅଧିକ ଆକଳନ କରାଯାଇଛି ।
ପ୍ରକାଶ ଯେ, ବାତ୍ୟା ‘ୟଶ’ ଓ ବନ୍ୟା ପାଇଁ ଜଳ ସମ୍ପଦ ବିଭାଗର ବର୍ତ୍ତମାନ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ମୋଟ ୮୭ କୋଟି ଟଙ୍କା କ୍ଷତି ହୋଇଛି । କ୍ଷୟକ୍ଷତି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦିଆଯାଇଥିଲା । ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଥିଲେ ।
ତାଙ୍କ ସୂଚନା ଅନୁଯାୟୀ ଜଳପ୍ରକଳ୍ପ ଓ ଲୁଣାବନ୍ଧରେ ୬୯.୧୮ କୋଟି ଟଙ୍କା କ୍ଷତି ହୋଇଛି । ଡ୍ରେନେଜରେ ୭.୬୬ ଓ ଉଠାଜଳସେଚନରେ ପ୍ରାୟ ୨.୬୩ କୋଟି ଟଙ୍କା କ୍ଷତି ହୋଇଛି । ମଧ୍ୟମ ପ୍ରକଳ୍ପରେ ୭.୦୮ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି । ମୋଟ ୭୭ଟି ଘାଇରୁ ଏବେ ସୁଦ୍ଧା ୩୫ଟି ଘାଇ ମରାମତି କରାଯାଇଛି । ବାଲେଶ୍ୱରରେ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ତେଣୁ କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ଆକଳନ କରାଯାଇନାରିନାହିଁ । ମୌସୁମୀ ବର୍ଷା ପୂର୍ବରୁ ସବୁ ମରାମତି ପାଇଁ ଲକ୍ଷ୍ୟ ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଥିଲେ ।
Powered by Froala Editor