ଦେଶର ବିକାଶରେ ଶ୍ରମିକ, କୃଷକ ଏବଂ ମହିଳାଙ୍କ ହାତ ରହିଛି:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ମୁକ୍ତିର ଆନନ୍ଦ । ସବୁଠି ଉତ୍ସାହ, ଫର୍ ଫର୍ ହୋଇଉଡ଼ୁଛି ତ୍ରିରଙ୍ଗା । କେଶର, ସବୁଜ ଏବଂ ଶ୍ବେତ ରଙ୍ଗ ସହ ଅଶୋକ ଚକ୍ର ବଖାଣୁଛି ଭାରତର ଐତିହ୍ୟ, ପରମ୍ପରା, ସଂସ୍କୃତିର ଗାଥା । ୧୦ମ ଥର ପାଇଁ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବର୍ତ୍ତା ଦେଇଛନ୍ତି । ପିଏମ ମୋଦିଙ୍କ ସମ୍ବୋଧିତ କରି କହିଛନ୍ତି, ମଣିପୁରରେ ଶାନ୍ତି ଫେରୁଛି । ମଣିପୁର ସହ ସାରା ଦେଶ ରହିଛି ଅମୃତକାଳର ପ୍ରଥମ ବର୍ଷରେ ଆମେ ପ୍ରବେଶ କରିଛେ । ଅମୃତକାଳର ଘଟଣା ଆସନ୍ତା ହଜାରେ ବର୍ଷ ଧରି ପ୍ରଭାବ ପକାଇବ । ସାରା ବିଶ୍ବରେ ଭାରତର ସାମର୍ଥ୍ୟ ପ୍ରତି ନୂଆ ବିଶ୍ବାସ ଦେଖାଦେଇଛି । ଦେଶର କୋଟି କୋଟି ସ୍ବପ୍ନ ଏବଂ ସଂକଳ୍ପ, ଲକ୍ଷ୍ୟ ସ୍ଥଳରେ ଆମକୁ ପହଞ୍ଚାଇବ।
ଦେଶର ଯୁବ ଶକ୍ତିକୁ ପ୍ରୋତ୍ସାହିତ କରୁଛି ଭାରତର ଡିଜିଟାଲ୍ ଇଣ୍ଡିଆ । ଏହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି । ଦେଶର ଯୁବବର୍ଗଙ୍କୁ ସୁଯୋଗର ଅଭାବ ନାହିଁ । ଦେଶର ବିକାଶରେ ଶ୍ରମିକ, କୃଷକ ଏବଂ ମହିଳାଙ୍କ ହାତ ରହିଛି । କୋଭିଡ୍ କାଳରେ ବିଶ୍ବକୁ ଏକ ନୂଆ ସାମର୍ଥ୍ୟର ବାର୍ତ୍ତା ଦେଇଛି ଭାରତ । ବିଶ୍ବରେ ବିକାଶ ଏବଂ ସ୍ଥିରତାର ବାର୍ତ୍ତା ଦେଇଛି । ଭାରତ ବିକାଶ ପାଇଁ ସ୍ଥିର ଏବଂ ମଜଭୁତ ସରକାର ଜରୁରୀ ରହିଛି । ବର୍ତ୍ତମାନର ସରକାର ସର୍ବ-ଜନ-ହିତାୟ ଉପରେ ବିଶ୍ବାସ ରଖୁଛି । ରିଫର୍ମ, ପରଫର୍ମ ଏବଂ ଟ୍ରାନସଫର୍ମ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଉଦବୋଧନରେ କହିଛନ୍ତି ।
Powered by Froala Editor