ପ୍ରଧାନ ବିଚାରପତିଙ୍କ ନାଁରେ ଘୂରିବୁଲୁଛି ଫେକ୍ ମେସେଜ
ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଫଟୋ ଥାଇ ହ୍ଵାଟ୍ସଆପ୍ରେ ଏକ ‘ଫେକ୍’ ମେସେଜ୍ ପ୍ରସାରିତ ହେଉଛି। ହ୍ୱାଟସଆପ୍ ବିଶ୍ୱବିଦ୍ୟାଳୟର ଏହି ଅପପ୍ରଚାର ଏତେ ଭାଇରାଲ ହୋଇଛି ଯେ ଶେଷରେ ସୁପ୍ରିମକୋର୍ଟର ସେକେଟ୍ରୀ ଜେନେରାଲଙ୍କୁ ଏହାକୁ ଖଣ୍ଡନ କରିବାକୁ ପଡ଼ିଛି। ହ୍ୱାଇଟସ ଆପ୍ ବିଶ୍ୱବିଦ୍ୟାଳୟ ଦାବି କରିଥିଲା ଯେ ଜଷ୍ଟିସ ଚନ୍ଦ୍ରଚୂଡ଼ କୁଆଡ଼େ ଲୋକଙ୍କୁ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଆସି ବିକ୍ଷୋଭ କରିବାକୁ କହିଛନ୍ତି। ହେଲେ ସେ ଏଭଳି କିଛି କହି ନଥିବା ସେକେଟ୍ରୀ ଜେନାରାଲ ସ୍ପଷ୍ଟ କରିଛନ୍ତି।
କେବଳ ସେକେଟ୍ରୀ ଜେନେରାଲ ନୁହନ୍ତି, ଦେଶର ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ସିଜେଆଇଙ୍କ ସମ୍ପର୍କରେ ପ୍ରଚାର କରାଯାଉଥିବା ଖବରକୁ ଫେକ କହିଛନ୍ତି।
ସୁପ୍ରିମକୋର୍ଟ ସେକେଟ୍ରୀ ଜେନେରାଲ ଅତୁଲ କୁରହେକାର କହିଛନ୍ତି, “ସିଜେଆଇଙ୍କ ପକ୍ଷରୁ ଏମିତି କୌଣସି ବୟାନ ଦିଆଯାଇ ନାହିଁ। ହ୍ୱାଟସଆପ୍ରେ ପ୍ରଚାର ହେଉଥିବା ଇଂରାଜୀ ଓ ହିନ୍ଦୀ ଭାଷାର ବାର୍ତ୍ତା ଫେକ।”
ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଫଟୋ ସହ ସେୟାର କରାଯାଉଥିବା ଏହି ମେସେଜର ଶୀର୍ଷକ ରହିଛି, ‘ଭାରତୀୟ ଗଣତନ୍ତ୍ର ସୁପ୍ରିମ୍କୋର୍ଟ ଜିନ୍ଦାବାଦ’। ଶୀର୍ଷକ ତଳେ ବାର୍ତ୍ତରେ ଲେଖାଯାଇଛି: ‘‘ଆମେ ଭାରତର ସମ୍ବିଧାନ, ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। କିନ୍ତୁ ଏଥିପାଇଁ ଆପଣଙ୍କ ସହଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ସମସ୍ତେ ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ସେମାନଙ୍କ ଅଧିକାର ମାଗନ୍ତୁ, ଏହି ଏକଛତ୍ରବାଦୀ ସରକାର ଲୋକଙ୍କୁ ଭୟଭୀତ କରିବ, ଧମକ ଦେବ, କିନ୍ତୁ ଭୟ କଲେ ଚଳିବ ନାହିଁ, ସାହସ ରଖିବାକୁ ପଡ଼ିବ ଏବଂ ସରକାରଙ୍କୁ ହିସାବ ମାଗିବାକୁ ପଡିବ, ମୁଁ ଆପଣଙ୍କ ସହିତ ଅଛି।’’
Powered by Froala Editor