ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶାକୁ ମିଳିବ ଆଇନଗତ ଅନୁମୋଦନ

ଭୁବନେଶ୍ୱର: ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶାକୁ ଖୁବ୍ ଶୀଘ୍ର ମିଳିବ ଆଇନଗତ ଅନୁମୋଦନ । ଆସନ୍ତା ଶୀତ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ ଏ ନେଇ ବିଲ୍ ଆଗତ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଉଭୟ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିଲେ କେନ୍ଦ୍ର ଭଳି ଦୁଇ ସଭା ବିଶିଷ୍ଟ ହେବ ଓଡ଼ିଶାର ବୈଧାନିକ ବ୍ୟବସ୍ଥା । ମୋଟ ୪୯ ଜଣ ପରୋକ୍ଷ ଏବଂ ମନୋନୀତ ସଦସ୍ୟ ରହିବେ ବିଧାନ ପରିଷଦରେ ।
ଗତ ୫ ବର୍ଷ ଧରି ଓଡ଼ିଶାର ବିଧାନ ପରିଷଦ ସଂକଳ୍ପ କେନ୍ଦ୍ରୀୟ ଅନୁମୋଦନ ଅପେକ୍ଷାରେ ରହିଛି ।ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ସଂକଳ୍ପ ମୁତାବକ ବିଧାନସଭାର ଏକ ତୃତୀୟାଂଶ (୪୯) ସଦସ୍ୟଙ୍କୁ ନେଇ ଗଠନ ହେବ ବିଧାନ ପରିଷଦ । ଏଥିରୁ ୧୬ ଜଣ ସଦସ୍ୟଙ୍କୁ ବିଧାୟକମାନେ ନିର୍ବାଚିତ କରିବେ । ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ନଗର ନିଗମ ଦ୍ୱାରା ଆଉ ୧୬ ଜଣ ସଦସ୍ୟ ନିର୍ବାଚିତ ହେବେ । ୯ ଜଣ ସଦସ୍ୟଙ୍କୁ ରାଜ୍ୟପାଳ ମନୋନୀତ କରିବେ । ୪ଜଣଙ୍କୁ ଶିକ୍ଷକ ଏବଂ ଅବଶିଷ୍ଟ ୪ ଜଣଙ୍କୁ ସ୍ନାତକ ମତଦାତା ନିର୍ବାଚିତ କରିବେ ।ରାଜ୍ୟସଭା ଭଳି ପରିଷଦ ଆସନ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ । ପ୍ରାର୍ଥୀଙ୍କ ବୟସ ଅତି କମ୍ରେ ୩୦ ବର୍ଷ ହୋଇଥିବା ଆବଶ୍ୟକ । ସଦସ୍ୟତା ଅବଧି ରାଜ୍ୟସଭା ଭଳି ୬ ବର୍ଷ ରହିବ ।ବିଧାନ ପରିଷଦ ସଦସ୍ୟମାନଙ୍କ ଦରମା ଓ ଭତ୍ତା ବିଧାୟକଙ୍କ ସମତୁଲ ହେବ । ଏଥିପାଇଁ ବର୍ଷକୁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ୨୦୧୮ରେ ଆକଳନ କରାଯାଇଥିଲା । ପ୍ରଥମେ ପୁରୁଣା ବିଧାନ ସୌଧରୁ କାର୍ୟ୍ୟ କରିବ ବିଧାନ ପରିଷଦ ।
Powered by Froala Editor