ସ୍ୱାଧୀନତା ଦିବସ ସମାରୋହ:ଓଡ଼ିଶାର ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ଲାଗି ଦେଶର କୋଣ ଅନୁକୋଣରୁ ପ୍ରାୟ ୧୮ ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ଉଦ୍ବୋଧନ ସମାରୋହରେ ସେମାନେ ଯୋଗଦେବେ । ଏହାକୁ ସ୍ମରଣୀୟ କରିବା ଲାଗି ଭାଇବ୍ରାଣ୍ଟ ଗ୍ରାମ ଯୋଜନାର ସରପଞ୍ଚ, ଶିକ୍ଷକ, ନର୍ସ, ମତ୍ସ୍ୟଜୀବୀ, ଚାଷୀ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ କାମ କରିଥିବା ଶ୍ରମଯୋଗୀ, ଖଦୀ ଶ୍ରମିକ, ଜାତୀୟ ପୁରସ୍କାର ବିଜେତା ଶିକ୍ଷକ, ସୀମା ସଡ଼କ ସଙ୍ଗଠନର ଶ୍ରମିକ, ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ, ଅମୃତ ସରୋବର ପ୍ରକଳ୍ପ ଏବଂ ହର୍ ଘର୍ ଜଲ୍ ପ୍ରକଳ୍ପରେ ସହାୟତା କରିଥିବା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି ।
ସେମାନେ ନିଜ ଜୀବନସାଥୀଙ୍କ ସହ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ଦୁଇ ମତ୍ସ୍ୟଜୀବୀଙ୍କୁ ନିମନ୍ତ୍ରଣ କରାଯାଇଛି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର କାଣ୍ଡା ଆଲାୟା ଏବଂ କେ ସରସ୍ୱତୀ । ଅମୃତ ସରୋବର ଯୋଜନାରେ ସହଯୋଗ କରିଥିବା ହିତାଧିକାରୀ ବଲାଙ୍ଗୀର ଜିଲ୍ଲାର ଯାଜ୍ଞସେନୀ ପଟେଲ, ଗଞ୍ଜାମର ସାବିତ୍ରୀ ଦାସ, କୋରାପୁଟର ଅକ୍ଷୟ କୁମାର ଜୟଫୁଲା ମଧ୍ୟ ରହିଛନ୍ତି । ସେହିପରି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଯୁବରାଜ ଛତିଆଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
Powered by Froala Editor