ସଦସ୍ୟତା ଫେରିପାଇଲେ ରାହୁଲ ଗାନ୍ଧୀ, ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି
ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲ୍ ଗାନ୍ଧୀ ଲୋକସଭା ସାଂସଦ ପଦ ଫେରି ପାଇଥିବା କଥା ଆଜି ଲୋକସଭା ସଚିବାଳୟ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବାର ୩ ଦିନ ପରେ ସେ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି।
ଏହି ଖବର ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର ହୋଇପଡ଼ିଛି। ସୋନିଆ ଗାନ୍ଧିଙ୍କ ବାସଭବନ ସମ୍ମୁଖରେ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ଜମିଛି। ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ କଂଗ୍ରେସ ଟ୍ୱିଟ୍ କରି ଏହା ଘୃଣା ଉପରେ ପ୍ରେମର ବିଜୟ ବୋଲି ଲେଖିଛି।
ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ଏହା ଉଭୟ ନ୍ୟାୟ ଓ ଗଣତନ୍ତ୍ରର ବିଜୟ। ରାହୁଲ ଗାନ୍ଧି ଏବେ ଲୋକସଭାକୁ ଆସିପାରିବେ ଓ ତାଙ୍କ ନିର୍ବାଚନ ମଣ୍ଡଳୀ ତଥା ଦେଶବାସୀଙ୍କ ସେବା କରିପାରିବେ ବୋଲି ସେ କହିଛନ୍ତି।
ଅଗଷ୍ଟ ୪ ତାରିଖ ଦିନ ଶୁଣାଇଥିବା ରାୟରେ ସୁପ୍ରିମ୍ କୋର୍ଟ କହିଥିଲେ, ଏହି ମାମଲାରେ ‘ଟ୍ରାଏଲ୍ ଜଜ୍’ ସର୍ବାଧିକ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡାଦେଶ ଗୋଟିଏ ଦିନ କମ୍ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍ ଜଜ୍’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା।
Powered by Froala Editor