୧୬ରୁ ୨୯ ତାରିଖ ପର୍ୟ୍ୟନ୍ତ ଚାଲିବ ଦ୍ୱାଦଶ ଶ୍ରେଣୀ ପ୍ରଥମ ଇଣ୍ଟରନାଲ ପରୀକ୍ଷା
ଭୁବନେଶ୍ୱର: ୧୬ରୁ ଦ୍ୱାଦଶ ଶ୍ରେଣୀ ପ୍ରଥମ ଇଣ୍ଟରନାଲ ପରୀକ୍ଷା ହେବ । ଏହା ୧୬ରୁ ୨୯ ତାରିଖ ପର୍ୟ୍ୟନ୍ତ ଚାଲିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାକ୍ଟିକାଲ ଥିବା ବିଷୟରେ ୩୦ ମାର୍କର ପରୀକ୍ଷା ହେବ । ଏଥିରେ ୨୦ ମାର୍କର ଥିଓରୀ ଏବଂ ୧୦ ମାର୍କର ପ୍ରାକ୍ଟିକାଲ ହେବ । ୧ ମାର୍କର ୬ଟି ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ । ୨ ମାର୍କ ଲେଖାଏ ୩ଟି ସଂକ୍ଷିପ୍ତ ପ୍ରଶ୍ନ ଆସିବ । ୪ମାର୍କର ୨ଟି ପ୍ରଶ୍ନ ଆସିବ । ପରୀକ୍ଷା ସମୟ ମୋଟ ୪୫ ମିନିଟ ରହିବ । ୧୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ହେବ ଯାହାର ସମୟ ୪୫ ମିନିଟ ରହିବ । ସେହିପରି ନନ୍ ପ୍ରାକ୍ଟିକାଲ ବିଷୟର ଛାତ୍ରଛାତ୍ରୀମାନେ କେବଳ ୨୦ ମାର୍କର ଥିଓରୀ ପରୀକ୍ଷା ଦେବେ । ୧ ମାର୍କର ୬ଟି ଅତି ସଂକ୍ଷିପ୍ତ ପ୍ରଶ୍ନ, ୨ମାର୍କ ଲେଖାଏ ୩ଟି ସଂକ୍ଷିପ୍ତ ପ୍ରଶ୍ନ ଏବଂ ୪ମାର୍କର ୨ଟି ପ୍ରଶ୍ନ ଆସିବ । ପରୀକ୍ଷା ସମୟ ମୋଟ ୪୫ ମିନିଟ ରହିବ ।
ପ୍ରଥମ ଇଣ୍ଟରନାଲ ପରୀକ୍ଷାରେ ବିଜ୍ଞାନ ବିଭାଗର ଫିଜିକ୍ସ ପାଇଁ ୟୁନିଟ୍-୧ ଓ ୟୁନିଟ୍-୨ ବିଷୟବସ୍ତୁରୁ ପ୍ରଶ୍ନ ଆସିବ । ବାୟୋଲାଜି ପାଇଁ ୟୁନିଟ୍-୬ରୁ ପ୍ରଶ୍ନ ଆସିବ । କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପ୍ରତ୍ୟେକ ବିଷୟର ୟୁନିଟ୍-୧ ବିଷୟବସ୍ତୁରୁ ପ୍ରଶ୍ନ ଆସିବ । ଦ୍ୱିତୀୟ ଇଣ୍ଟରନାଲ ପରୀକ୍ଷା ନଭେମ୍ବର ୧ରୁ ୧୧ ମଧ୍ୟରେ ହେବ । ତେବେ ୨୦୨୪ ବାର୍ଷିକ ପରୀକ୍ଷା ଫଳ ଘୋଷଣା ସମୟରେ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ଏବଂ ବାର୍ଷିକ ପରୀକ୍ଷାରୁ ୮୦% ୱେଟେଜ୍ ଦିଆଯିବ । ଦୁଇଟି ଇଣ୍ଟରନାଲ ପରୀକ୍ଷା ମାର୍କରୁ ଶ୍ରେଷ୍ଠକୁ ୱେଟେଜ୍ ପାଇଁ ବିଚାର କରାଯିବ । ଯଦି ଜଣେ ପିଲା କେବଳ ଗୋଟିଏ ଇଣ୍ଟରନାଲ ପରୀକ୍ଷା ଦେଇଥାଏ, ତା’ହେଲେ ସମ୍ପୃକ୍ତ ପରୀକ୍ଷାର ମାର୍କକୁ ୱେଟେଜ୍ ପାଇଁ ବିଚାର କରାଯିବ । ଉଭୟ ଇଣ୍ଟରନାଲ୍ ପରୀକ୍ଷାରେ ଅନୁପସ୍ଥିତ ଥିଲେ କୌଣସି ୱେଟେଜ୍ ମିଳିବନି । କେବଳ ବାର୍ଷିକ ପରୀକ୍ଷାରୁ ଶତପ୍ରତିଶତ ୱେଟେଜ୍ ଦିଆଯିବ ।
Powered by Froala Editor