ଏକସଙ୍ଗେ ଏକାଧିକ କାମରୁ ଦୁର୍ବଳ ହୁଏ ମସ୍ତିଷ୍କ
କାହାର ନାଁ ଭୁଲିଯିବା, ଫୋନ୍, ଚାବି, ଚଷମା କିମ୍ବା ଦୈନନ୍ଦିନ ଆବଶ୍ୟକ ବସ୍ତୁକୁ ଗୋଟିଏ ସ୍ଥାନରେ ରଖି ଭୁଲିଯିବା ଏକ ସାଧାରଣ ସମସ୍ୟା । ଏହାର ଅନେକ କାରଣ ହୋଇପାରେ, କିନ୍ତୁ କେତେକ ମାମଲାରେ ଏହା ବିପଦପୂର୍ଣ୍ଣ ହୋଇଥାଏ । ନ୍ୟୁୟର୍କ ସ୍ଥିତ କୋଲମ୍ବିୟା ୟୁନିଭର୍ସିଟି ଇରୱିନ୍ ମେଡିକାଲ ସେଣ୍ଟର୍ର ନ୍ୟୁରୋସାଇକୋଲୋଜିଷ୍ଟ୍ ଏଲିସ୍ କେକାପୋଲା କହିଛନ୍ତି, ଯଦି ଆପଣ ଲମ୍ବା ସମୟ ଧରି ଏ ପ୍ରକାର କଥା ଭୁଲୁଛନ୍ତି, ତେବେ ଏହା ମସ୍ତିଷ୍କ ସମସ୍ୟା ସହ ସଂଶ୍ଳିଷ୍ଟ ଗମ୍ଭୀର ରୋଗର ସଙ୍କେତ ହୋଇପାରେ ।
ଲଗାତାର ଚାପ ସ୍ଥିତିରେ ଶରୀର ଏ ଭଳି ହରମୋନ କ୍ଷରଣ କରେ, ଯାହା କୋଷିକାଗୁଡ଼ିକୁ ନଷ୍ଟ କରେ । ମସ୍ତିଷ୍କର ସାମଞ୍ଜସ୍ୟ ରକ୍ଷା କରିବାର କ୍ଷମତା ପ୍ରଭାବିତ ହୁଏ । ଫଳସ୍ୱରୂପ ସ୍ମୃତିଶକ୍ତି ହ୍ରାସପାଏ । ସ୍ଲିପ୍ ମେଡିସିନ୍ର ଅଧ୍ୟୟନରୁ ଜଣାପଡ଼ିଛି, ରାତିରେ ଯେଉଁମାନଙ୍କ ନିଦ ବାରମ୍ବାର ଭାଙ୍ଗୁଛି, ସେମାନଙ୍କର ଫୋକସ୍, କାର୍ୟ୍ୟକାରୀ ସ୍ମରଣଶକ୍ତି ଓ ମସ୍ତିଷ୍କ କାର୍ୟ୍ୟ ପ୍ରଣାଳୀରେ ଉଲ୍ଲେଖନୀୟ ହ୍ରାସ ହେବାକୁ ଲାଗେ । କମ୍ ଶୁଣାଯିବା ସ୍ଥିତିରେ କଥା ଶୁଣିବା ଓ ବୁଝିବା ଲାଗି ମସ୍ତିଷ୍କକୁ ଅଧିକ ପରିଶ୍ରମ କରିବାକୁ ପଡ଼େ । ଏହା ଦ୍ୱାରା ସ୍ମୃତିଶକ୍ତି ପ୍ରଭାବିତ ହୁଏ । ଯେକୌଣସି କାମ ସମୟରେ ଧ୍ୟାନ ଓ ନିୟନ୍ତ୍ରଣ ସହ ସମ୍ବନ୍ଧୀୟ ମସ୍ତିଷ୍କର ଅନେକ ନେଟ୍ୱର୍କ କାମ କରେ । କିନ୍ତୁ ଏକସଙ୍ଗେ ଏକାଧିକ କାମ କରିବା ଦ୍ୱାରା ଏହି ନେଟ୍ୱର୍କ ବାଧାପ୍ରାପ୍ତ ହୁଏ । ଏହା ଦ୍ୱାରା ସ୍ମୃତିଶକ୍ତି ପ୍ରଭାବିତ ହୁଏ । ଚିନ୍ତା, କୋଲେଷ୍ଟରଲ, ଯନ୍ତ୍ରଣା, ରକ୍ତଚାପ, ନିଦ ସମ୍ବନ୍ଧୀୟ ଔଷଧ ଓ କିଛି ପ୍ରକାର ନିଶା ମସ୍ତିଷ୍କର ନ୍ୟୁରୋଟ୍ରାନ୍ସମିଟର୍ଗୁଡ଼ିକୁ ଅବରୋଧ କରନ୍ତି । ଏଥିସହ ମସ୍ତିଷ୍କର ପ୍ରକ୍ରିୟାକରଣକୁ ଧୀମା କରେ । ଗବେଷଣା ଅନୁସାରେ, ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ଯୋଗୁ ନ୍ୟୁରନ୍ଗୁଡ଼ିକୁ କ୍ଷତି ପହଞ୍ଚେ । ସବୁଜ ପରିବା, ଗ୍ରୀନ୍ ଟି ଓ ଟମାଟୋରେ ଥିବା ଫ୍ଲାଭୋନଏଡ୍ ମସ୍ତିଷ୍କର କ୍ଷମତା ବଢ଼ାଏ ବୋଲି ଅନେକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।
Powered by Froala Editor