ବିଶ୍ବର ବିଶାଳକାୟ ଟର୍ବାଇନ୍
ପୃଥିବୀରେ ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ସରି ସରି ଆସୁଥିବା ବେଳେ ସୌର ଶକ୍ତି, ଜୁଆର ଶକ୍ତି ଓ ପବନ ଶକ୍ତି ଆଦି ଅସରନ୍ତି ଉତ୍ସଗୁଡ଼ିକ ଉପରେ ଗୁରୁତ୍ବାରୋପ କରାଯାଉଛି। ଏଗୁଡ଼ିକ ମଧ୍ୟରୁ ପବନରୁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିବା ସହଜସାଧ୍ୟ ଓ କମ୍ ଖର୍ଚ୍ଚସାପେକ୍ଷ। ସାଧାରଣତଃ ପବନ କଳର ଆକାର ଯେତେ ବଡ଼ ହେବ, ସେତେ ଅଧିକ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିହେବ। ସମ୍ପ୍ରତି ବିଭିନ୍ନ ରାଷ୍ଟ୍ରରେ ବିଶାଳକାୟ ପବନ କଳ ସ୍ଥାପନ କରିବା ଏକ ପ୍ରତିଦ୍ବନ୍ଦ୍ବିତା ପାଲଟିଛି।
ଚୀନ୍ର ଥ୍ରି ଜର୍ଜେସ କର୍ପୋରେସନ୍ ପକ୍ଷରୁ ବିଶ୍ବର ବୃହତ୍ତମ ପବନ କଳ ସ୍ଥାପନ କରାଯାଇଥିଲା। ଏଥିରେ ଲାଗିଥିବା ରୋଟରର ବ୍ୟାସ ୮୨୭ ଫୁଟ୍। ତାହାର ସଫଳ କାର୍ଯ୍ୟକାରିତା ପରେ ଚଳିତ ସପ୍ତାହରେ ଆଉ ଏକ ପବନକଳ ସ୍ଥାପନ କରାଯାଇଛି, ଯାହାର ରୋଟରର ବ୍ୟାସ ହେଉଛି ୮୫୩ ଫୁଟ। ମାଇସେ୧୬-୨୬୦’ ନାମକ ଏହି ପବନକଳର କେନ୍ଦ୍ରୀୟ ଟାଵାରର ଉଚ୍ଚତା ହେଉଛି ୫୦୦ ଫୁଟ। ଏଥିରେ ଖଞ୍ଜାଯାଇଥିବା ଜେନେରେଟରର ଓଜନ ହେଉଛି ୩୮୫ ମେଟ୍ରିକ୍ ଟନ୍।
ଏଥିରୁ ବାର୍ଷିକ ୬୭ ନିୟୁତ କିଲୋଵାଟ୍ଆଵାର ବିଦ୍ୟୁତ୍ଶକ୍ତି ଉତ୍ପନ୍ନ ହେବ ଯାହା ୮୦ ହଜାର ପରିବାରର ବ୍ୟବହାର ପାଇଁ ଯଥେଷ୍ଟ। ଏହା ଦ୍ବାରା ପାରମ୍ପରିକ ତାପଜ ବିଦ୍ୟୁତ୍ କେନ୍ଦ୍ରର ଅଙ୍ଗାରକାମ୍ଳ ନିର୍ଗମନ ୫୬,୦୦୦ ଟନ୍ ହ୍ରାସ ପାଇବ। ଏହା ଭୀଷଣ ଝଡ଼ତୋଫାନକୁ ସହ୍ୟ କରିପାରିବ। ନିକଟରେ ହୋଇଥିବା ଏକ ଝଡ଼ର ଘଣ୍ଟା ପ୍ରତି ୮୫ ମାଇଲ୍ ପବନ ବେଗକୁ ତାହା ସାମନା କରିପାରିଛି। ଏହା ଘଣ୍ଟା ପ୍ରତି ସର୍ବାଧିକ ୧୭୮.୫ ମାଇଲ୍ ଝଡ଼ର ମୁକାବିଲା କରିବାକୁ ସକ୍ଷମ ବୋଲି ଏହାର ଢାଞ୍ଚା ପ୍ରସ୍ତୁତ କରିଥିବା କମ୍ପାନି ପକ୍ଷରୁ କୁହାଯାଇଛି।
Powered by Froala Editor