ଆଉ ଦୁଇ ଦିନ ହେବ ଅସମ୍ଭାଳ ବର୍ଷା
ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ମଙ୍ଗଳବାର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଆଜି ଓ ଗୁରୁବାର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୭୦ରୁ ୨୦୦ମିମି ପର୍ୟ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ବୁଧବାର ରାଜ୍ୟରେ ଭୀଷଣ ବର୍ଷା ହେବ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ମୁହାଁ ହୋଇ ୨୪ ଘଣ୍ଟା ଭିତରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ପହଞ୍ଚିବ ।
ଏହା ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅସମ୍ଭାଳ ବର୍ଷା ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ସବୁ ଜିଲ୍ଲାରେ ୭୦ରୁ ୨୦୦ମିମି ପର୍ୟ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳରେ ନିର୍ଧୁମ ବର୍ଷା ହୋଇପାରେ । ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, କଟକ, ନୟାଗଡ଼, ନବରଙ୍ଗପୁର, ଯାଜପୁର ଓ ଭଦ୍ରକରେ ମଧ୍ୟ ଭାରୀ ବର୍ଷା ସମ୍ଭାବନା ଅଛି । ଗୁରୁବାର ମଧ୍ୟ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ କେନ୍ଦୁଝରରେ ଭାରୀ ବର୍ଷା ହୋଇପାରେ । ଲଗାଣ ବର୍ଷା ପାଇଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ । କଚ୍ଚା ଘର ଓ ରାସ୍ତା କ୍ଷତିଗ୍ରସ୍ତ ହୋଇପାରେ । ସହରାଞ୍ଚଳରେ ପୁଣି ପାଣି ଉବୁଟୁବୁ ହେବା ସହ ଟ୍ରାଫିକ୍ ସ୍ଥିତି ବିଗିଡ଼ିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।
Powered by Froala Editor