୬ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ ଭାରତ
ନୂଆଦିଲ୍ଲୀ: ଆଉ କିଛି ବର୍ଷ ଭିତରେ ଭାରତ ଏକ ୬ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ଅର୍ଥନୀତିରେ ପରିଣତ ହେବ। ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ ଏହାର ଏକ ରିପୋର୍ଟରେ ଏହି ଗୋଲାପୀ ଚିତ୍ର ଆଙ୍କିଛି। ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତ ଏକ ମଧ୍ୟମ ଆୟ ବର୍ଗର ଦେଶରେ ପରିଣତ ହେବ। ମୁଣ୍ଡପିଛା ଆୟ ୭୦% ବୃଦ୍ଧି ପାଇ ୪୦୦୦ ଡଲାର ହୋଇଯିବ। ସେହି ସମୟରେ ଜିଡିପି ୬ ଟ୍ରିଲିଅନ ଡଲାରକୁ ବୃଦ୍ଧି ପାଇବ। ବର୍ତ୍ତମାନ ଦେଶର ମୁଣ୍ଡପିଛା ଆୟ ୨୪୫୦ ଡଲାର ରହିଛି।
ଭାରତୀୟ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ବୈଦେଶିକ ବାଣିଜ୍ୟ ପ୍ରମୁଖ ଭୂମିକା ନିର୍ବାହ କରିବ। ଦେଶର ଜିଡିପି ଏବେ ୩.୭ ଟ୍ରିଲିଅନ ଡଲାର ଥିବା ବେଳେ ସେଥିପ୍ରତି ବୈଦେଶିକ ବାଣିଜ୍ୟର ଅବଦାନ ୧.୨ ଟ୍ରିଲିଅନ ଡଲାର ରହିଛି। ୨୦୩୦ ସୁଦ୍ଧା ତାହା ୨.୧ ଟ୍ରିଲିଅନ ଡଲାରକୁ ବୃଦ୍ଧି ପାଇବ। ଏହା ବ୍ୟତୀତ ପରିବାରଗୁଡ଼ିକରେ ହେଉଥିବା ବିନିଯୋଗ ମଧ୍ୟ ଅର୍ଥନୀତିକୁ ଆଗକୁ ବଢ଼ାଇବ ବୋଲି ରିପୋର୍ଟରେ କୁହାଯାଇଛି। ଏବେ ଜିଡିପି ପ୍ରତି ପରିବାର ବିନିଯୋଗର ଅବଦାନ ୫୭% ରହିଛି।
Powered by Froala Editor