'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ
ଜୀବନ ହାରିଲେ 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତା ଉଗାଲେ । ଅଭିନେତ୍ରୀ ସଞ୍ଚିତା ଉଗଲେ ମୁମ୍ବାଇରେ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଖବର ଆସୁଛି । ଝୁଲନ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାର କାରଣ ଜଣାପଡିନାହିଁ । ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ସ୍ତବ୍ଧ ହୋଇଛନ୍ତି । ସଞ୍ଚିତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା । ଝିଅକୁ ହରାଇ ପରିବାର ଅସହାୟ ହୋଇପଡିଛନ୍ତି । ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ମାତ୍ର ୨୨ ବର୍ଷ ବୟସରେ ସଞ୍ଚିତା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। କୁମକୁମ ଭାଗ୍ୟ ସିରିଏଲ ସହିତ ଦିଲୱାଲି ଦୁଲ୍ହା ଲେ ଜାୟେଗୀ ନାମକ ଏକ ଶୋ'ରେ ମଧ୍ୟ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ସଞ୍ଚିତା ମୃତ୍ୟୁର ମାତ୍ର କିଛି ଘଣ୍ଟା ପୂର୍ବରୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଖୁସି ମିଜାଜର ରିଲ୍ସ୍ ପୋଷ୍ଟ କରିଥିଲେ । ଯେଉଁଥିରେ ଏକ ବଲିଉଡ୍ ଗୀତରେ ସେ ନାଚୁଥିବାର ଦେଖିବାକୁ ମିଳିଥିଲା । ତେବେ କାହିଁକି ହଠାତ୍ ସେ ଏଭଳିଚରମ ନିଷ୍ପତ୍ତି ନେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।
ପୁଲିସର ସୂଚନା ଅନୁଯାୟୀ, ସଞ୍ଚିତା ତାଙ୍କ ବାପାମାଆ ଏବଂ ୧୫ ବର୍ଷୀୟା ଭଉଣୀଙ୍କ ସହିତ ନାଲାସୋପାରା ପୂର୍ବର ଆଚୋଲେ ଗାଁରେ ରହୁଥିଲେ । ଘଟଣା ଘଟିବା ସମୟରେ ସେ ଘରେ ଏକା ଥିଲେ। ରୁମରୁ କୌଣସି ସୁଇସାଇଟ୍ ନୋଟ୍ ମିଳିନାହିଁ ଏବଂ ପୁଲିସ ଘଟଣାର ତଦନ୍ତ କରୁଛି ।
ପରିବାର ଲୋକଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ସେ କବାଟ ନଖୋଲିବାରୁ ସନ୍ଦେହ ହୋଇଥିଲା। କବାଟ ଭାଙ୍ଗି ଭିତରକୁ ଯିବା ପରେ ସଞ୍ଚିତାଙ୍କୁ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor