ଆଜି ବି ରହସ୍ୟ ଘେରରେ ଗୋଲକୋଣ୍ଡା ଦୁର୍ଗର ଇତିହାସ
ଭାରତର ଅନେକ ସ୍ଥାନ ରହସ୍ୟମୟ ଘଟଣାକୁ ନେଇ ଚର୍ଚ୍ଚିତ । ରହସ୍ୟଘେରରେ ଥିବା ଏହି ସ୍ଥାନ ମାନଙ୍କର ସତ୍ୟାସତ୍ୟ ଖୋଜିବାକୁ ବହୁ ବୈଜ୍ଞାନିକ ଚେଷ୍ଟା କରିଛନ୍ତି । ହେଲେ କୌଣସି ସୁଫଳ ମିଳିନି । ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗ ମଧ୍ୟ ସେଭଳି ଏକ ରହସ୍ୟମୟ ପର୍ଯ୍ୟଟନସ୍ଥଳୀ । ଏହି ଦୁର୍ଗର ନିର୍ମାଣ ଷୋଡ଼ଶ ଶତାବ୍ଦୀରେ ହୋଇଥିଲା । ଗୋଲକୋଣ୍ଡା ଦୁର୍ଗ ନିର୍ମାଣ କାକତୀୟ ରାଜବଂଶ ଦ୍ୱାରା ଆରମ୍ଭ କରାଯାଇଥିଲା । ଦୁର୍ଗଟିର ବାସ୍ତୁକଳା, ଦୁର୍ଗ ସହିତ ଜଡିତ ପୌରାଣିକ କଥା, ଇତିହାସ ଏବଂ ରହସ୍ୟ ପାଇଁ ପରିଚୟ ପାଇଛି । ତେବେ ଏହି ଦୁର୍ଗ ନିର୍ମାଣ ପଛରେ ଏକ ରୋଚକ ଇତିହାସ ରହିଛି ।
କୁହାଯାଏ, ଦିନେ ଜଣେ ଗୋପାଳକୁ ପାହାଡ ଉପରେ ମୂର୍ତ୍ତିଟିଏ ମିଳିଥିଲା । ଯେତେବେଳେ ସେହି ମୂର୍ତ୍ତିର ସୂଚନା ତତ୍କାଳୀନ ଶାସକ କାକତୀୟ ରାଜାଙ୍କୁ ମିଳିଥିଲା ସେ ଏହାକୁ ପବିତ୍ର ସ୍ଥାନ ବିବେଚନା କରି ଏହାର ଚତୁପାଶ୍ୱର୍ରେ ମାଟିର ଏକ ଦୁର୍ଗ ତିଆରି କରିଥିଲେ, ପ୍ରାଥମିକ ଭାବେ ଏହି ସ୍ଥାନ ମଙ୍କଲ ଭାବେ ପରିଚିତ ଥିଲା । ପରେ ଏହା ଗୋଲକୋଣ୍ଡା ଦୁର୍ଗ ନାମରେ ପରିଚିତ ପାଇଥିଲା ।
୪୦୦ ଫୁଟ୍ ଉଚ୍ଚ ପାହାଡ ଉପରେ ଥିବା ଏହି ଦୁର୍ଗରେ ଆଠଟି ଦ୍ୱାର ଏବଂ ୮୭ଟି ଗଡ ରହିଛି । ଫତେହ ଦରୱାଜା ଦୁର୍ଗର ମୁଖ୍ୟ ଦ୍ୱାର । ଏହା ୧୩ ଫୁଟ୍ ଚଉଡା ଏବଂ ୨୫ ଫୁଟ୍ ଲମ୍ବା । ଏହି ଦ୍ୱାରକୁ ଷ୍ଟିଲ ସ୍ପାଇକ୍ସ ସହିତ ତିଆରି କରାଯାଇଛି ଯାହା ହାତୀଠାରୁ ରକ୍ଷା କରିଥାଏ । ଏହି ଦୁର୍ଗର ଭବ୍ୟତାର ସୌନ୍ଦର୍ଯ୍ୟ ଦରବାର ହଲ୍ରେ ଦେଖିବାକୁ ମିଳେ । ଏହା ହାଇଦ୍ରାବାଦ ଏବଂ ସିକନ୍ଦରାବାଦ ଦୁଇ ସହରକୁ ଧ୍ୟାନରେ ରଖି ତିଆରି କରାଯାଇଛି । ଏଠାରେ ପହଞ୍ଚିବାକୁ ଏକ ହଜାର ସିଡ଼ି ଚଢିବାକୁ ପଡିଥାଏ ।
ଏହି ଦୁର୍ଗର ସବୁଠୁ ବଡ ରହସ୍ୟ ଯେ, ଏହାକୁ ଏପରି ଭାବେ ତିଆରି କରାଯାଇଛି, ଦୁର୍ଗର କିଛି ବିଶେଷ ସ୍ଥାନରେ ତାଳି ବଜାଇଲେ ଏହାର ଧ୍ୱନି ପୂରା ଦୁର୍ଗରେ ପ୍ରତିଧ୍ୱନିତ ହୋଇଥାଏ । ସେଥିପାଇଁ ଏହି ସ୍ଥାନକୁ ତାଲିଆ ମଣ୍ଡପ କିମ୍ବା ଆଧୁନିକ ଧ୍ୱନି ଆଲାର୍ମ ମଧ୍ୟ କୁହାଯାଇଥାଏ । ଏହି ଦୁର୍ଗରେ ଏକ ରହସ୍ୟମୟ ସୁଡଙ୍ଗ ରହିଥିବା ଶୁଣିବାକୁ ମିଳେ । ଶତ୍ରୁପକ୍ଷର ଆକ୍ରମଣ ସମୟରେ ଏହି ସୁଡଙ୍ଗ ଦେଇ ରାଜ ପରିବାରକୁ ସୁରକ୍ଷିତ ଭାବେ ବାହାରକୁ ନିଆ ଯାଉଥିଲା । ମାତ୍ର ଏବେ ଏହି ସୁଡଙ୍ଗକୁ ବନ୍ଦ କରି ଦିଆଯାଇଛି । ଏଭଳି ଅନେକ ରହସ୍ୟ ଲୁଚି ରହିଛି ଗୋଲକୋଣ୍ଡା ଦୁର୍ଗରେ । ପର୍ଯ୍ୟଟକମାନେ ଏହାର ନିର୍ମାଣଶୈଳୀ ଦେଖି ଯେତିକି ଆଶ୍ଚର୍ଯ୍ୟ ହୁଅନ୍ତି ସେତିକି ଖୁସି ମଧ୍ୟ ହୋଇଥାନ୍ତିି । କାରଣ ସେତେବେଳେ ମଧ୍ୟ ଏଭଳି ନିଆରା ନିର୍ମାଣ କୌଶଳ କାରିଗରମାନେ ଶିଖିଥିଲେ । ଯାହା ଯୁଗ ଯୁଗ ପର୍ଯ୍ୟନ୍ତ ଲୋକଙ୍କୁ ସେବେକାର ଇତିହାସ ବଖାଣୁଛି ।
Powered by Froala Editor