ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି

ପୁରୀ: ବୁଧବାର ମଧ୍ୟ ହୋଇପାରିନି ମହାପ୍ରଭୁଙ୍କ ବନକଲାଗି ନୀତି । କାର୍ୟ୍ୟକାରୀ ହୋଇପାରିଲାନି ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ । ନୀତି ହୋଇନଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ସ୍ୱତ୍ୱଲିପି ଅନୁସାରେ ଦତ୍ତମହାପାତ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ସୂଚନା ଦେଇଛି । ଏପଟେ ଗୁରୁବାର ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର(ଶ୍ରୀମୁଖ ସିଂହାର କରୁଥିବା ସେବକ) ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ନିବେଦନ କରିଛନ୍ତି ।
ନୀଳାଦ୍ରି ବିଜେକୁ ବିତିଲାଣି ୨୬ ଦିନ । ତଥାପି ଠାକୁରଙ୍କ ଶ୍ରୀମୁଖ ସିଂହାର ହୋଇପାରୁନି । ରତ୍ନସିଂହାସନରେ ଅଧିଷ୍ଠିତ ହେବା ପରେ ବନକଲାଗି କରାଗଲା ନାହିଁ । ବନକଲାଗି ନ ହୋଇ ଠାକୁରେ ଏକାନ୍ତକୁ ବିଜେ କଲେ । ଏହାପରେ ପ୍ରଶାସକ ଓ ସେବକଙ୍କ ଭିତରେ ବିବାଦୀୟ ପରିସ୍ଥିତି ଉପୁଜିଲା । ବିବର୍ଣ୍ଣ ଦିଶୁଛନ୍ତି ଶ୍ରୀବିଗ୍ରହ ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କୁହନ୍ତି ବନକଲାଗି ପାଇଁ ବୁଧବାର ଓ ଗୁରୁବାର ଦୁଇ ପ୍ରକାର ମତ ଆସିଥିଲା । ୨୦୧୮ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା ଗୁରୁବାର ବଦଳରେ ବୁଧବାର ହେବ ମହାପ୍ରଭୁଙ୍କ ବନକଲାଗି । କାରଣ ଗୁରୁବାର ବହୁତ୍ ନୀତି ରହୁଛି ଏବଂ ଦର୍ଶନାର୍ଥୀ ମଧ୍ୟ ଠାକୁରଙ୍କୁ ଦେଖିବାରୁ ବଞ୍ଚିତ ହେବେ । ଏହି ନିଷ୍ପତ୍ତିକୁ ସମସ୍ତେ ମାନି ଆସୁଛନ୍ତି । ବାମଦେବ ସଂହିତା ଅନୁସାରେ ବୁଧବାର ବନକଲାଗି କରାଯିବା ମଧ୍ୟ ବିଧି ଓ ଶାସ୍ତ୍ର ସମ୍ମତ । ବୁଧବାର ଠାକୁରଙ୍କ ଶ୍ରୀମୁଖସିଂହାର କରିବାକୁ ଦତ୍ତମହାପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସେମାନେ ବିଭିନ୍ନ ପ୍ରକାର ଟାଳଟୁଳ କରି ଠାକୁରଙ୍କ ନୀତି କରୁନାହାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓ ବରିଷ୍ଠ ସେବାୟତଙ୍କ ପକ୍ଷରୁ ସେବା କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଯେଉଁ ନିଷ୍ପତ୍ତି ନେବ ତାହାକୁ ସେବକ ହିସାବରେ ସେମାନେ କାର୍ୟ୍ୟକାରୀ କରିବା କଥା ।
ସେମାନେ ପ୍ରସ୍ତୁତ ନ ଥିବା କହୁଥିଲେ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ନୀତି ପାଇଁ ସମସ୍ତ ପ୍ରସ୍ତୁତି କରି ରଖିଛି । ସେମାନେ ପ୍ରତୀକାତ୍ମକ ଭାବେ ଠାକୁରଙ୍କ ନୀତି କରିପାରିବେ । ସେମାନଙ୍କ ମାନସିକତା ରହିଲେ ନିଶ୍ଚିତ ପାରନ୍ତେ । ଏଥିରେ ବ୍ୟତିକ୍ରମ ହେଲେ ଶ୍ରୀମନ୍ଦିର ସ୍ୱତ୍ୱଲିପିର ସେକ୍ସନ ୩୩ରେ ପୁରା ବିବରଣୀ ରହିଛି । ସେମାନଙ୍କ ବିକଳ୍ପରେ ସୁଦ୍ଧସୁଆର ମାନେ ମଧ୍ୟ ସେବା କରିପାରିବେ । ଆଉ କିଛି ମଧ୍ୟ କଠୋର କାର୍ୟ୍ୟାନୁଷ୍ଠାନ ନିଆଯାଇପାରିବ । ହେଲେ ଆମେ ସେହି ସ୍ତରକୁ ଯାଇ ନାହୁଁ । ସେମାନଙ୍କୁ ଅନୁରୋଧ କରୁଛୁ ଠାକୁରଙ୍କ ନୀତି କରିବାକୁ ।
ଗୁରୁବାର ସ୍ଥାନରେ ବନକଲାଗି ନୀତି ବୁଧବାର କରାଯିବାକୁ ସଂଶୋଧନ ହୋଇସାରିଛି । ଏଣୁ କେଉଁ ଦିନ ହେବ ଠାକୁରଙ୍କ ବନକଲାଗି ନୀତି ହେବ ତାହା ଶ୍ରୀମନ୍ଦିର ପ୍ରଶାସନ ହିଁ ସ୍ଥିର କରିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି । ଏପଟେ ଦତ୍ତମହାପାତ୍ର ସେବକ ସଞ୍ଜୟ ଦତ୍ତମହାପାତ୍ର କହିଛନ୍ତି ଗୁରୁବାର ବନକଲାଗି କରିବାକୁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଲିଖିତାକାରେ ନିବେଦନ କରିିଛନ୍ତି । ସେବକଙ୍କ ସ୍ୱତ୍ୱକୁ ଛଡ଼ା ନଯାଇ ଠାକୁରଙ୍କ ନୀତି ତୁରନ୍ତ ଶୃଙ୍ଖଳିତ କରାଯିବାକୁ ବରିଷ୍ଠ ସେବାୟତମାନେ ମତ ଦେଉଛନ୍ତି ।
Powered by Froala Editor