ମୁଁ ବି ଦିନେ ବେରୋଜଗାର ହୋଇଯାଇଥିଲି, ଘର ଭଡ଼ା ଦେବାକୁ ବି ଟଙ୍କା ନଥିଲା
ମନୀଷ ପଲ । ଜଣେ ଭଲ ଅଭିନେତା । ଜଣେ ଭଲ ଉପସ୍ଥାପକ । ଆଉ ଜଣେ ଭଲ ସ୍ୱାମୀ ମଧ୍ୟ । କିନ୍ତୁ ସଫଳ ହେବା ପୂର୍ବରୁ ସେ ମଧ୍ୟ ବିଫଳତାର ବାଟ ଦେଇ ଆସିଛନ୍ତି । ତାଙ୍କୁ ବି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ମନୀଷ ଦିନେ ବେରୋଜଗାର ହୋଇ ଘରେ ବସିଥିଲେ। ବର୍ଷେ ପର୍ଯ୍ୟନ୍ତ ତାଙ୍କ ପାଖରେ କାମ ନଥିଲା। ଘର ଚଳାଇବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ହେଲେ ତାଙ୍କୁ ସମ୍ଭାଳି ନେଇଥିଲେ ପତ୍ନୀ ସଂଯୁକ୍ତା।
ଏକ ସାକ୍ଷାତକାରରେ ମନୀଷ କହିଛନ୍ତି, ୨୦୦୭ରେ ମୋର ବିବାହ ହେବା ପରେ ୨୦୦୮ରେ ମୋ ପାଖରେ କୌଣସି କାମ ନଥିଲା। ମୁଁ କରୁଥିବା କାମକୁ ପସନ୍ଦ କରୁନଥିବାରୁ ନିଜ ଇଚ୍ଛାରେ କାମ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। କିଛି ଅଲଗା କରିବାକୁ ଚାହୁଥିଲି। ସବୁକିଛି ଛାଡି ଘରେ ବସିଥିଲି। ମୋ ପାଖରେ ଘର ଭଡ଼ା ଦେବାକୁ ବି ଟଙ୍କା ନଥିଲା। ଏଭଳି ପରିସ୍ଥିତିରେ ମୋ ପତ୍ନୀ ସଂଯୁକ୍ତା ସବୁକିଛି ସମ୍ଭାଳିଥିଲେ। ବର୍ଷେ ପାଇଁ ଏଭଳି ଚାଲିଥିଲା। ବର୍ଷେ ମଧ୍ୟରେ, ମୁଁ ଅନେକ ଥର ଭାଙ୍ଗିପଡ଼ିଥିଲି। ମନ ମୁତାବକ କାମ କରିବାକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ସେ ସବୁ ଭାବି ମୁଁ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲି। ଏହି ସମୟରେ ସଂଯୁକ୍ତା ମୋତେ ବହୁତ ସାହାଯ୍ୟ କରିଥିଲେ। ସେ ମୋତେ କିଛି ଦିନ ବିଶ୍ରାମ କରି ନୂଆ ଆରମ୍ଭ କର ବୋଲି କହିଥିଲେ। ବର୍ଷେ ପରେ ସବୁକିଛି ବଦଳିଥିଲା । ଆଜି ଯାହା କିଛି ସଫଳ ହୋଇଛି ପତ୍ନୀଙ୍କ ପାଇଁ ବୋଲି ମନୀଷ କହିଛନ୍ତି ।
Powered by Froala Editor