କେନ୍ଦ୍ରକୁ ଛାଡ଼ିବି ନାହିଁ ବୋଲି ଚିଠି ଲେଖି ମୋଦୀଙ୍କୁ ଜଣାଇଲେ ମମତା
କୋଲକାତା: ନିର୍ବାଚନର ଦୀର୍ଘ ଦିନ ପରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ଥମିବାର ନାମ ନେଉନି ।
ଏହାରି ଭିତରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ବିଶେଷସୂତ୍ରରୁ ଜଣାପଡ଼ିଥିବା ବେଳେ ତାଙ୍କୁ କେନ୍ଦ୍ରକୁ ଛାଡ଼ିବି ନାହିଁ ବୋଲି ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ବାତ୍ୟା ‘ୟାସ୍’ ପ୍ରଭାବ ସମୀକ୍ଷା କରିବା ଲାଗି ଗତ ଶୁକ୍ରବାର ଦିନ ପ୍ରଧାମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକାଳୀନ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧଘଣ୍ଟା ବିଳମ୍ବରେ ପହଞ୍ଚି ୧୫ ମିନିଟ୍ ପରେ ଉଠିଚାଲି ଯିବା ପରେ ପରିସ୍ଥିତି ବିବାଦୀୟ ହୋଇଥିଲା। ସେହି ରାତିରେ କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରାଳୟକୁ ବଦଳି କରି ସୋମବାର ପୂର୍ବାହ୍ନ ୧୦ଟା ସୁଦ୍ଧା କାର୍ୟ୍ୟରେ ଯୋଗ ଦେବାକୁ ଆଦେଶ ଦେଇଥିଲେ।
ତେଣେ, ମୁଁ ମୁଖ୍ୟ ଶାସନ ସଚିବଙ୍କୁ ଛାଡୁନାହିଁ ବୋଲି ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, ବନ୍ଦୋପାଧ୍ୟାୟଙ୍କୁ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରାଳୟରେ ଉପସ୍ଥିତ ହେବାକୁ ଦିଆଯାଇଥିବା ଏକତରଫା ଆଦେଶ ଯୋଗୁଁ ମୁଁ ମର୍ମାହତ ଓ ଚକିତ।
ସୂଚନାଯୋଗ୍ୟ, ସୋମବାର ଦିନ ବନ୍ଦୋପାଧ୍ୟାୟ ଅବସର ଗ୍ରହଣ କରିଥାଆନ୍ତେ। କିନ୍ତୁ, ୧୯୮୭ ବ୍ୟାଚ୍ର ଏହି ପଶ୍ଚିମବଙ୍ଗ କ୍ୟାଡର୍ର ଆଇଏଏସ୍ ଅଫିସର୍ଙ୍କର ଗତବର୍ଷ ବାତ୍ୟା ‘ଅମ୍ଫନ୍’ ଏବଂ ସାମ୍ପ୍ରତିକ ମହାମାରୀ ପରିଚାଳନା ଅଭିଜ୍ଞତା ଥିବାରୁ ତାଙ୍କୁ ଆଉ ତିନି ମାସ ଚାକିରିରେ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କେନ୍ଦ୍ରକୁ ଅନୁରୋଧ କରିଥିଲେ। କେନ୍ଦ୍ର ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରି ଅନୁମତି ପ୍ରଦାନ କରିଥିଲେ। ଏହାଛଡ଼ା, ବନ୍ଦୋପାଧ୍ୟାୟ କେବ ମଧ୍ୟ କେନ୍ଦ୍ର ସରକାରରେ ଚାକିରି କରି ନାହାନ୍ତି କିଂବା ସରକାରଙ୍କର ବରିଷ୍ଠ ପଦବୀ ନିମନ୍ତେ ତାଲିକାଭୁକ୍ତ ହୋଇ ନାହାନ୍ତି।
Powered by Froala Editor