ବାତ୍ୟା ‘ୟଶ’ ଜଳସମ୍ପଦ ବିଭାଗର ୮୭ କୋଟି ଟଙ୍କା କ୍ଷତି କରିଛି
ଭୁବନେଶ୍ୱର: ବାତ୍ୟା ‘ୟଶ’ ଓ ବନ୍ୟା ପାଇଁ ଜଳ ସମ୍ପଦ ବିଭାଗର ବର୍ତ୍ତମାନ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ମୋଟ ୮୭ କୋଟି ଟଙ୍କା କ୍ଷତି ହୋଇଛି । କ୍ଷୟକ୍ଷତି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦିଆଯାଇଛି । ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଜଳପ୍ରକଳ୍ପ ଓ ଲୁଣାବନ୍ଧରେ ୬୯.୧୮ କୋଟି ଟଙ୍କା କ୍ଷତି ହୋଇଛି । ଡ୍ରେନେଜରେ ୭.୬୬ ଓ ଉଠାଜଳସେଚନରେ ପ୍ରାୟ ୨.୬୩ କୋଟି ଟଙ୍କା କ୍ଷତି ହୋଇଛି । ମଧ୍ୟମ ପ୍ରକଳ୍ପରେ ୭.୦୮ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି । ମୋଟ ୭୭ଟି ଘାଇରୁ ଏବେ ସୁଦ୍ଧା ୩୫ଟି ଘାଇ ମରାମତି କରାଯାଇଛି । ବାଲେଶ୍ୱରରେ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ତେଣୁ କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ଆକଳନ କରାଯାଇନାରିନାହିଁ । ମୌସୁମୀ ବର୍ଷା ପୂର୍ବରୁ ସବୁ ମରାମତି ପାଇଁ ଲକ୍ଷ୍ୟ ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ୱରରେ ବାତ୍ୟା ‘ୟଶ’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିଲେ । ପରେ ସେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକେପ୍ଟରରେ ମୋଦୀ ଆକାଶ ମାର୍ଗରୁ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱରର ସ୍ଥିତି ପରିଦର୍ଶନ କରିଥିଲେ । ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ମୋଦୀ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ପାଇଁ ୫୦୦ କୋଟିର ଆର୍ଥିକ ସହାୟତା ଘୋଷଣା କରିଥିଲେ ।
Powered by Froala Editor