ଗାଁ ଓଡ଼ିଶାର, ଅକ୍ତିଆରକୁ ନେବା ପାଇଁ ଉଦ୍ୟମ ଚଳାଇଛି ଆନ୍ଧ୍ର
ଜୟପୁର : ଗାଁ ଓଡ଼ିଶାର। ଅଧିବାସୀଙ୍କ ଜନ୍ମ ଓ କର୍ମଭୂମି ବି ଓଡ଼ିଶାରେ। ଅଥଚ ରାଜ୍ କରୁଛି ଆନ୍ଧ୍ର। ସୀମାନ୍ତ ଗାଁ ଅକ୍ତିଆରକୁ ନେବା ପାଇଁ ଦଶନ୍ଧି ଦଶନ୍ଧି ଧରି ଚଳାଇଛି ଉଦ୍ୟମ। କୋରାପୁଟର କୋଟିଆଠୁ ଆରମ୍ଭ କରି ରାଇପାହାଡ଼, ରାୟଗଡ଼ାର ଲାଉଗୁଡ଼ାଠୁ ସାନଲୁକୁଟି, ସୁଲୁକି, ସୁଲୁଡ଼ି ସବୁଠି ରହିଛି ଆନ୍ଧ୍ରର ଦବଦବା। ବିଭିନ୍ନ ଲୋଭ ଦେଖାଇ ଲୋକଙ୍କ ସମର୍ଥନ ଗୋଟାଇ ଚାଲିଛି ଆନ୍ଧ୍ର। ଓଡ଼ିଶା ସରକାର କେବଳ ମାମଲା ରୁଜୁ ସହ ନିର୍ଦ୍ଦେଶାନାମା ଜାରି କରି ଚୁପ୍ ବସି ରହିଥିବାରୁ ହାତରୁ ଖସିବାରେ ଲାଗିଛି ସୀମାନ୍ତ ଗାଁ।
କୋଟିଆ ପରେ ନନ୍ଦପୁର ବ୍ଲକ୍ ରାଇପାହାଡ଼ ଉପରେ ଆନ୍ଧ୍ରର ଲୋଲୁପଦୃଷ୍ଟି ଓଡ଼ିଶା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି। ଆନ୍ଧ୍ର ସୀମାନ୍ତକୁ ଲାଗିଛି କୋରାପୁଟ ଜିଲ୍ଲାର ୫୩ରୁ ଊର୍ଦ୍ଧ୍ବ ଗାଁ। ରାୟଗଡ଼ା ଜିଲ୍ଲାର ୬୧ଟି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ଓଡ଼ିଶାରେ ପ୍ରଭାବ ବିସ୍ତାର କରିବା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା ଓ ଯୋଗାଯୋଗ କ୍ଷେତ୍ରକୁ ଆନ୍ଧ୍ର ଗୁରୁତ୍ବ ଦେଇଛି। ଓଡ଼ିଶାରେ ରହି ତେଲୁଗୁ କହିବା ଓଡ଼ିଆରେ ନିଜ ନାଁ ଲେଖି ନପାରିବା ଏହାର ପ୍ରମାଣ।
କୋଟିଆର ବିବାଦୀୟ ଗାଁ ଧୂଳିପଦର, ତାଡିୱାଲସା, ଅରଜୁୱାଲସାରେ ଥିବା ଓଡ଼ିଶା ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀ ଓଡ଼ିଆ ଅପେକ୍ଷା ତେଲୁଗୁ ଭଲ କହୁଛନ୍ତି। ଓଡ଼ିଶାର ଅବହେଳାରୁ ଅଧିକାଂଶ ସୀମାନ୍ତବାସୀ ମୋବାଇଲ୍ ନେଟୱର୍କ, ସାପ୍ତାହିକ ହାଟ, ସରକାରୀ ସୁବିଧାସୁଯୋଗ ପାଇଁ ଆନ୍ଧ୍ର ଉପରେ ହିଁ ନିର୍ଭର କରୁଛନ୍ତି।
Powered by Froala Editor