ଟ୍ରେନ ଆଗକୁ ଡେଇଁ ଦମ୍ପତିଙ୍କ ଆତ୍ମହତ୍ୟା
ଯାଜପୁର: ଯାଜପୁର ଜିଲ୍ଲା ଟମକା ରେଳ ଷ୍ଟେସନ ନିକଟରେ ଟ୍ରେନ ଆଗକୁ ଡେଇଁ ଏକ ଦମ୍ପତିଙ୍କ ଆତ୍ମହତ୍ୟା କରିଛନ୍ତି। ମୃତ ଦମ୍ପତି ଦୁହେଁ ସ୍ଥାନୀୟ ଓସ୍ତାପାଳ ଅଞ୍ଚଳର ନିମାଇଁ ଚରଣ ବାଇ ଓ ତାଙ୍କ ସ୍ତ୍ରୀ ଜାନକୀ ବାଇ ବୋଲି ଜଣାପଡିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ବେଳେ ଋଣ ଭାର ଯୋଗୁଁ ଏମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଓସ୍ତାପାଳ ଗ୍ରାମର ନିମାଇଁ ଚରଣ ବାଇ ଓ ତାଙ୍କ ସ୍ତ୍ରୀ ଜାନକୀ ବାଇ ଏକ ବାଇକ୍ ଯୋଗେ ଆସି ଟମକା ରେଳ ଷ୍ଟେସନ ନିକଟରେ ବାଇକ୍ ରଖି ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ ଦମ୍ପତିଙ୍କ ମୋବାଇଲ ମୃତଦେହ ନିକଟରେ ପଡ଼ିଥିବା ବେଳେ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ପାଇଛି ରେଳବାଇ ପୋଲିସ। ତେବେ ଏହି ନୋଟ୍ ରେ ସେମାନଙ୍କ ଆତ୍ମହତ୍ୟା କରିବାର କାରଣ ଲେଖା ଯାଇଛି।
ଜାନକୀ ନିଜ ଗ୍ରାମର ପ୍ରମିଳା ଜେନାଙ୍କ ନିକଟରୁ ୩୦ ହଜାର ଟଙ୍କା ଉଧାର ଆଣି ନିକଟସ୍ଥ ବଗପାଟିଆ ଗ୍ରାମର କାଳିଆ ନାମକ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ କାଳିଆ ଟଙ୍କା ଫେରସ୍ତ କରିନଥିବା ବେଳେ ପ୍ରମିଳା ଜାନକୀଙ୍କୁ ବିଭିନ୍ନ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଏହାକୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା। ତେବେ ପ୍ରମିଳାଙ୍କ ଗାଳିଗୁଲଜ ତାଙ୍କୁ କଷ୍ଟ ଦେବାରୁ ସେମାନେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଛନ୍ତି। ମୃତ ନିମାଇଁ କଳିଙ୍ଗନଗର ସ୍ଥିତ ଏକ କାରଖାନାରେ କାର୍ୟ୍ୟ କରୁଥିବା ବେଳେ ତାଙ୍କର ଏକମାତ୍ର ୧୧ ବର୍ଷର ପୁଅ ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor