ରାଣୀ ଆଲେକ୍ଜାଣ୍ଡାରଙ୍କ ଅଭିଷେକ ସମୟରେ ତିଆରି କାଡ୍ବେରି ଚକୋଲେଟ୍ ନିଲାମ ହେବ
୧୨୧ ବର୍ଷ ପୁରୁଣା କାଡ୍ବେରି ଚକୋଲେଟ୍ ଏବେ ନିଲାମ ହେବ। ଏହି ଚକୋଲେଟ ଏମିତି ସେତିମି ଚକୋଲେଟ ନୁହେଁ । ଏହି ଖାସ୍ ଚକୋଲେଟ୍ ୧୯୦୨ରେ ରାଜା ଏଡ୍ୱାଡ୍ ୭ମ ଏବଂ ରାଣୀ ଆଲେକ୍ଜାଣ୍ଡାରଙ୍କ ଅଭିଷେକ ସମୟରେ ତିଆରି କରାଯାଇଥିଲା। ଚକୋଲେଟ୍ର ଟିଣ ଡବା ଉପରେ ରାଜା ଏଡ୍ୱାଡ୍ ୭ମ ଏବଂ ରାଣୀ ଆଲେକ୍ଜାଣ୍ଡାରଙ୍କ ଚିତ୍ର ମଧ୍ୟ ରହିଛି।
ସେତେବେଳେ ଏହି ଚକୋଲେଟ୍ ସ୍କୁଲରେ ୯ମ ଶ୍ରେଣୀର ଜଣେ ଛାତ୍ରୀ ମେରି ଏନ୍ ବ୍ଲୋକ୍ମୋରଙ୍କୁ ଦିଆଯାଇଥିଲା। ହେଲେ ମେରି ଚକୋଲେଟ୍କୁ ନ ଖାଇ ରାଜାରାଣୀଙ୍କ ଅଭିଷେକ ସନ୍ତକ ଭାବେ ଏହାକୁ ରଖିଥିଲେ। ଏହି ଚକୋଲେଟ୍ ଏବେ ମେରିଙ୍କ ପରିବାରରେ ଅଛି।
ମେରିଙ୍କ ନାତି ଜିନ୍ ଥମ୍ସନ୍ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିନ୍ଙ୍କୁ ବର୍ତ୍ତମାନ ୭୨ ବର୍ଷ ହୋଇଥିବାବେଳେ ସେ ଏହି କାଡ୍ବରି ଚକୋଲେଟ୍ର ଟିଣ ଡବାକୁ ନେଇ ହାନ୍ସନର ନିଲାମୀ କର୍ମକର୍ତ୍ତାଙ୍କ ପାଖକୁ ଯାଇଥିଲେ। ହାନ୍ସନ ଅକ୍ସିନିୟର୍ସର ମୋରଭେନ୍ ଫେୟାରଲି କହିଛନ୍ତି, ସେ ସମୟରେ ଏହା ଏକ ବଡ଼ ଉପହାର ଥିଲା। କାରଣ ସେ ସମୟରେ ପିଲାଙ୍କୁ ଚକୋଲେଟ୍ ଦିଆଯାଉ ନ ଥିଲା। ସେତେବେଳେ ମେରିଙ୍କ ପାଇଁ ଏହା ଏତେ ବଡ଼ ଉପହାର ଥିଲା ଯେ ସେ ଏହାକୁ ନ ଖାଇ ସାଇତି ରଖିଥିଲେ। ଚକୋଲେଟ୍ ନିଲାମରେ ୧୦୦ରୁ ୧୫୦ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧୬ ହଜାର ଟଙ୍କା ପ୍ରାପ୍ତ ହେବ ବୋଲି ଆଶା ରଖାଯାଇଛି।
Powered by Froala Editor