ଯୁକ୍ତଦୁଇ ନାମଲେଖା: ୧୯ ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା
ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ୟ୍ୟାୟ +୨ ନାମଲେଖା ଗୁରୁବାର ଶେଷ ହୋଇଛି। ୬ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବା ପରେ ୭ରୁ ନାମଲେଖା ଆରମ୍ଭ ହୋଇଥିଲା। ଏହି ପର୍ୟ୍ୟାୟରେ ୩ ଲକ୍ଷ ୪୨ ହଜାରରୁ ଅଧିକ ପିଲା ନାମ ଲେଖାଇଛନ୍ତି। ପ୍ରଥମ ପର୍ୟ୍ୟାୟ ନାମଲେଖା ନିମନ୍ତେ ୪,୧୨, ୩୬୮ ଜଣ ମନୋନୀତ ହୋଇଥିଲେ। ଆସନ୍ତା ୧୯ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହାର ନାମଲେଖା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ। ସ୍ପଟ୍ ମେଧା ତାଲିକା ଜୁଲାଇ ୨୭ରେ ଆସିବ ଏବଂ ୨୯ରୁ ୩୧ ମଧ୍ୟରେ ନାମଲେଖା ହେବ। ଏକାଦଶ ଶ୍ରେଣୀ ପାଠପଢ଼ା ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଧାର୍ୟ୍ୟ ହୋଇଛି।
ରାଜ୍ୟର ୨୧୬୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା +୨ କଲେଜରେ ୫ ଲକ୍ଷ ୮ ହଜାର ୪୮୧ ଆସନ ରହିଛି। ପ୍ରଥମ ପର୍ୟ୍ୟାୟରେ ୩ ଲକ୍ଷ ୪୨ ହଜାରରୁ ଅଧିକ ପିଲା ନାମ ଲେଖାଇଛନ୍ତି। ଆଉ ୧ ଲକ୍ଷ ୬୬ ହଜାର ୧୧୩ଟି ଆସନ ଫାଙ୍କା ପଡ଼ିଛି। ଯୁକ୍ତଦୁଇରେ ଚଳିତଥର ଆସନ ବଢ଼ାଯାଇଥିବାବେଳେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ଏଥର ଯୁକ୍ତଦୁଇରେ ବହୁସଂଖ୍ୟାରେ ଆସନ ଖାଲି ପଡ଼ିପାରେ। ଗୁରୁବାର ସନ୍ଧ୍ୟା ସୁଦ୍ଧା +୨ କଳାରେ ମୋଟ ୨ ଲକ୍ଷ ୮୯ ହଜାର ୪୬୬ ଆସନ ମଧ୍ୟରୁ ୭୪ ହଜାର ୧୪୮ ଆସନ ଖାଲିପଡ଼ିଛି। ସେହିପରି ବିଜ୍ଞାନରେ ୧ ଲକ୍ଷ ୫୬ ହଜାର ୬୩୫ରୁ ୬୦ ହଜାର ୭୨୯, ବାଣିଜ୍ୟରେ ୩୯ ହଜାର ୨୧୬ରୁ ୧୮ ହଜାର ୫୦୬, ସଂସ୍କୃତରେ ୧୨,୬୭୨ରୁ ୬,୩୧୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦,୪୯୨ରୁ ୬,୪୧୮ ଆସନ ଖାଲି ରହିଛି।
Powered by Froala Editor