୭ ଜିଲାକୁ ପ୍ରବଳ ବର୍ଷା, ସତର୍କତା ଜାରି
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୧୦.୮ ମି.ମି. ତୁଳନାରେ ୫୩% କମ୍ ରେକର୍ଡ ହୋଇଛି। ଗୁରୁବାର ମାଲକାନଗିରିରେ ସର୍ବାଧିକ ୩୩ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ଚାନ୍ଦବାଲି, କଟକ, ପାରାଦ୍ବୀପ, ଭୁବନେଶ୍ବର, କେନ୍ଦୁଝର, ଦାରିଙ୍ଗବାଡି, ନୟାଗଡ, ପାରଳାଖେମୁଣ୍ଡି, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଦେବଗଡ଼, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଝିପିଝିପି ବର୍ଷା ହୋଇଛି।
ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ୧୭ ଜିଲାରେ ନିଅଣ୍ଟିଆ, ଗୋଟିଏ ଜିଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ଏପରି ସ୍ଥିତିରେ ରାଜ୍ୟର କେତେକ ଜିଲାରେ ଆସନ୍ତା ୪ ଦିନ ଭଲ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ୧୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ କେତେକ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor