ବସ୍କୁ ପଛରୁ ପିଟିଲା ଚାଉଳ ବୋଝେଇ ଟ୍ରକ୍
କେନ୍ଦୁଝର : ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଏକ ଚାଉଳ ବୋଝେଇ ଟ୍ରକ୍। ଫଳରେ ନିୟନ୍ତ୍ରଣ ହରାଇ ଘାଟି ରାସ୍ତାରୁ ତଳକୁ ଖସି ଓଲଟି ପଡ଼ିଲା ବସ୍। ଏହି ଦୁର୍ଘଟଣାରେ ୧୫ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏପରି ଏକ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଳକ ଗୋଦଭଙ୍ଗା ଘାଟିରେ ଘଟିଛି।ଗତ ରାତିରେ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ଏକ ବସ୍ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଉକ୍ତ ସମୟରେ ବସ୍ରେ ପ୍ରାୟ ୫୦ ଯାତ୍ରୀ ଥିଲେ। ରାତି ପ୍ରାୟ ଦେଢଟା ସମୟରେ ବସ୍ଟି ଗୋଦଭଙ୍ଗା ଘାଟି ଅତିକ୍ରମ କରୁଥିଲା।ଏହି ସମୟରେ ପଛରୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ପଛରୁ ବସ୍କୁ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ବସ୍ଟି ଘାଟି ତଳକୁ ଓଲଟି ପଡ଼ିଥିଲା।
ଗୋଦଭଙ୍ଗା ଘାଟି ନିଛାଟିଆ ହୋଇଥିବାରୁ ଉକ୍ତ ବାଟ ଅତିକ୍ରମ କରୁଥିବା ଅନ୍ୟ ବସ୍ ଦୁର୍ଘଟଣା ଘଟିଥିବା ଦେଖି ଅଟକିଥିଲେ। ଏହାପରେ ସେମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବସ୍ରୁ ବାହାର କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥ ଗୁରୁତର ଥିବାରୁ ସେମାନଙ୍କୁ ଆନନ୍ଦପୁର ମେଡିକାଲ ପଠାଯାଇଛି। ଅନ୍ୟ ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି।ବାହାର ରାଜ୍ୟରୁ ଆସୁଥିବା ଟ୍ରକ୍ ଚାଳକ ଗୋଦଭଙ୍ଗା ଘାଟି ରାସ୍ତା ବିଷୟରେ ଜାଣି ପାରୁ ନ ଥିବାରୁ ଅନ୍ୟ ଗାଡ଼ିକୁ ପିଟି ଦୁର୍ଘଟଣା ଘଟାଉଥିବା ବସ୍ ଡ୍ରାଇଭର ସୂଚନା ଦେଇଛନ୍ତି।
Powered by Froala Editor