ଚୁଲି ନିଆଁରୁ ସାନିଟାଇଜର ବୋତଲ ଫାଟିଲା, ୨ ଭଉଣୀ ଗୁରୁତର
ଚୁଲିରେ ରୋଷେଇ ହେଉଥିଲା । ହେଲେ ଭୁଲ୍ ବଶତଃ ପାଖରେ ରହିଯାଇଥିଲା ସାନିଟାଇଜର ବୋତଲ । ଚୁଲିରୁ ବୋତଲରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ପାଖରେ ଥିବା ଦୁଇ ନାବାଳିକା ଭଉଣୀ ଜଳିଗଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି । ଏ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ। ଗୁରୁତର ଦୁଇ ନାବାଳିକା ହେଉଛନ୍ତି ଗାଁର ଗିରିଧାରୀ ମଳିକଙ୍କ ଝିଅ ଅଭିଲିପ୍ସା (୧୫) ଓ ସମୀକ୍ଷା (୧୦)।
ଆଜି ଅଭିଲିପ୍ସା ଚୁଲି ପାଖରେ ବସି ପୁରୀ ବେଲୁଥିଲେ। ତାଙ୍କ ପାଖରେ ସାନ ଭଉଣୀ ସମୀକ୍ଷା ମଧ୍ୟ ଥିଲେ। ଚୁଲି ପାଖରେ ଏକ ୫ ଲିଟିରିଆ ସାନିଟାଇଜର ଡବା ଥିଲା। କୌଣସି କାରଣରୁ ସେହି ସାନିଟାଇଜର ଡବାଟି ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା। ସାନିଟାଇଜର ଅଗ୍ନି ସଂସ୍ପର୍ଶରେ ଆସିବା ପରେ ବିସ୍ଫୋରଣ ହୋଇଥିଲା। ଫଳରେ ଉଭୟ ଅଭିଲିପ୍ସା ଓ ସମୀକ୍ଷା ଗୁରୁତର ହୋଇଛନ୍ତି।
Powered by Froala Editor