ମା’ ଶାରଳାଙ୍କ ମନ୍ଦିରରେ ଭକ୍ତ ଓ ସେବକଙ୍କ ପାଇଁ ଲାଗୁ ହେବ କଡ଼ା ନିୟମ!

ଉତ୍ତର ଓ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରତିଷ୍ଠିତ ଦେବଦେବୀ ମନ୍ଦିରରେ ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡର ବିଧିବ୍ୟବସ୍ଥା ରହିଛି। ଏପରିକି ମୁସ୍ଲିମ୍ ସମ୍ପ୍ରଦାୟର ଲୋକେ ନମାଜ ପାଠ କଲାବେଳେ, ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବା ସମୟରେ, ଶିଖ୍ମାନେ ଗୁରୁଦ୍ୱାର ଗଲେ ସ୍ବତନ୍ତ୍ର ବସ୍ତ୍ର ପରିଧାନର ବିଧିବ୍ୟବସ୍ଥା ରହିଛି। ସେହିପରି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ନୂଆ ନିୟମ ହୋଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ କେବଳ ଜିଲ୍ଲାପାଳଙ୍କ ସ୍ୱୀକୃତିକୁ ଅପେକ୍ଷା ରହିଛି।
ନିୟମ ଅନୁଯାୟୀ, ମା’ଙ୍କ ବିଗ୍ରହରୁ ଚନ୍ଦନ, ଫୁଲମାଳ ଆଣିବା ନିଷେଧ। ଯାତ୍ରୀ ବା ସେମାନଙ୍କ ପିଲାମାନଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ନିଷେଧ। ବ୍ରତ ହୋଇ ନଥିବା ପଣ୍ଡା ସେବକ ଓ ଅବିବାହିତ ରାଉଳ ସେବକ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ।
ମଝିଦେଉଳ ଓ ଗର୍ଭଗୃହକୁ ମୋବାଇଲ ନେଇପାରିବେ ନାହିଁ । ବେଢ଼ା ମଧ୍ୟରେ କେହି ମୋବାଇଲ ବ୍ୟବହାର କରିପାରିବେ ନାହିଁ। ମା’ଙ୍କ ବିଗ୍ରହ ଫଟୋ ଉଠାଇ ପାରିବେ ନାହିଁ। ପ୍ରଥମ ଥର ଭୁଲ ପାଇଁ ୫୦୦ ଟଙ୍କା ଓ ଦ୍ୱିତୀୟ ଥର ଭୁଲ ପାଇଁ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ।
ପଣ୍ଡା ସେବକମାନେ ଭକ୍ତମାନଙ୍କୁ ସେମାନଙ୍କ ଘର ସଂପର୍କରେ ପଚାରି ବିରକ୍ତ କରିବେ ନାହିଁ। ପଣ୍ଡା ସେବକମାନେ କୌଣସି ଭକ୍ତଙ୍କ ଠାରୁ ଜୁଲମ କରି ଅର୍ଥ ଆଦାୟ କରିବେ ନାହିଁ। ମନ୍ଦିର ପ୍ରଶାସନ ଓ ପୁଲିସ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଭକ୍ତମାନଙ୍କ ଦ୍ୱାରା ଦିଆଯାଉଥିବା ଦାନ, ଶାଢ଼ୀ, ସୁନା, ରୁପା, ଘଣ୍ଟଘଣ୍ଟା ବା ରସିଦ ହେଉଥିବା ଯେକୌଣସି ଦ୍ରବ୍ୟ ଯଦି କେହି ସେବାୟତ ଦାଖଲ ନଦିଅନ୍ତି ତୁରନ୍ତ ପଦକ୍ଷେପ ନିଆଯିବ।
ଭକ୍ତମାନେ ଅଭିଯୋଗ ଦେବା ପାଇଁ ଏକ ଅଭିଯୋଗ ବାକ୍ସ ରହିବ। ୭ ଦିନରେ ଥରେ ଉପଜିଲ୍ଲାପାଳ, ତହସିଲଦାର, ଇନ୍ସପେକ୍ଟର ଇନ୍ଚାର୍ଜ ଓ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଅଭିଯୋଗ ବାକ୍ସକୁ ଖୋଲା ଯାଇ ପଦକ୍ଷେପ ନିଆଯିବ।
Powered by Froala Editor