ଟମାଟୋ ମଞ୍ଜିର ଦାମ ୩ କୋଟି ଟଙ୍କା

ପ୍ରତ୍ୟେକଙ୍କ ହାଣ୍ଡିଶାଳର ଏକ ଅପରିହାର୍ଯ୍ୟ ପରିବା ଭାବେ ବିବେଚିତ ଟମାଟୋ ଦର ଏବେ ଆମ ଦେଶରେ କିଛି ଦିନ ହେଲା ହୁ ହୁ ହୋଇ ବଢ଼ିଚାଲିଛି। ସ୍ଥଳ ବିଶେଷରେ ଏହା କିଲୋଗ୍ରାମ୍ ପିଛା ୧୦୦ ଟଙ୍କାରୁ ଅଧିକରେ ବିକ୍ରି ହେଉଛି। ତେଣୁ ଅନେକ ଅଭାବୀ ପରିବାର ପାଇଁ ଟମାଟୋ ଏବେ ଅପହଞ୍ଚ ହୋଇପଡ଼ିଛି। ନହେଲେ ପ୍ରାୟ ସବୁବେଳେ ଏହା ଏକ ଶସ୍ତା ଲୋକପ୍ରିୟ ପରିବା ଭାବେ ସର୍ବତ୍ର ଉପଲବ୍ଧ ହୋଇଥାଏ। ତେବେ ଏକ ନିର୍ଦ୍ଦିଷ୍ଟ କିସମ ଟମାଟୋ ମଞ୍ଜିର ମୂଲ୍ୟ ଯେ ସୁନାଠୁ ବି ଅଧିକ ହୋଇଥିବ, ଏ କଥା ଅବିଶ୍ବସନୀୟ ମନେ ହେଲେ ବି ସତ।
ହାଜେରା ଜେନେଟିକ୍ସ ପକ୍ଷରୁ ବିକ୍ରି କରାଯାଉଥିବା ଗ୍ରୀଷ୍ମକାଳୀନ ‘ସନ୍ ଟମାଟୋ’ କିସମର ମଞ୍ଜିର ଦାମ କିଲୋଗ୍ରାମ ପିଛା ୩ କୋଟି ଟଙ୍କାରୁ ଅଧିକ ବୋଲି ଜଣାଯାଇଛି। ବିଶେଷ କରି ୟୁରୋପୀୟ ବଜାରରେ ଏହି ଟମାଟୋର ଚାହିଦା ଅଧିକ ରହିଛି। ଏହି ଟମାଟୋର ବିଶେଷ ଗୁଣ ରହିଛି। ଏହି କିସମର ଗୋଟିଏ ମଞ୍ଜିରୁ ଗଛ ହେଲେ ତାହା ୨୦ କେଜି ଯାଏ ଟମାଟୋ ଫଳାଇଥାଏ। ସେହିପରି ଏହି ଗଛରେ ଫଳୁଥିବା ଟମାଟୋ ହେଉଛି ମାଂସଳ ଓ ମଞ୍ଜିହୀନ।
ତେଣୁ ଉତ୍ପାଦନକାରୀଙ୍କୁ ପ୍ରତି ଥର ଚାଷ ପାଇଁ ନୂଆ ମଞ୍ଜି ଯୋଗାଡ଼ କରିବାକୁ ପଡ଼ିଥାଏ। ସର୍ବୋପରି ଏହାର ସ୍ବାଦ ଓ ବାସ୍ନା ହିଁ ଜଣକୁ ଆକର୍ଷିତ କରିଥାଏ। ଥରେ ଯିଏ ‘ସନ୍ ଟମାଟୋ’ର ମଜା ପାଇଛି, ସେ ଆଉ ଅନ୍ୟ କୌଣସି ପ୍ରକାର ଟମାଟୋ ପ୍ରତି ମନ ବଳାଇବ ନାହିଁ ବୋଲି ହାଜେରା ଜେନେଟିକ୍ସ ଦାବି କରିଥାଏ। ତେଣୁ ଏପରି ଉଚ୍ଚ ଦର ସତ୍ତ୍ବେ ଏହାର ଚାହିଦା ରହିଛି।
Powered by Froala Editor