ଘୂର୍ଣ୍ଣିବଳୟ ସକ୍ରିୟ: ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ବର : ମଙ୍ଗଳବାର ସୃଷ୍ଟ ଘୂର୍ଣ୍ଣିବଳୟ ବୁଧବାର ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହିତ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମର କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ପର୍ୟ୍ୟନ୍ତ ଦକ୍ଷିଣ, ପଶ୍ଚିମ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପାରାଦ୍ବୀପ ଡପ୍ଲର ରାଡ଼ାରରୁ ମିଳୁଥିବା ତଥ୍ୟାନୁଯାୟୀ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସମୁଦ୍ରରୁ ଉପକୂଳ ଆଡକୁ ମେଘ ସମୂହ ଅଗ୍ରସର ହେଉଛି। ଏହାର ପ୍ରଭାବରେ ବାଲେଶ୍ବର, ଚାନ୍ଦବାଲି, କଟକ, ଭୁବନେଶ୍ବର, ବାରିପଦା, ଭବାନୀପାଟଣା, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଏବଂ ପୁରୀ ଆଦି ଅଞ୍ଚଳରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କଟକରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor