ଦାରୁବ୍ରହ୍ମଙ୍କ ଲୀଳା ବିଭୋର, ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚି ପାରିଲାନି ସବୁ ରଥ
ପୁରୀ: ଦାରୁବ୍ରହ୍ମଙ୍କ ମାନବୀୟ ଲୀଳା ଦେଖି ବିଭୋର ହେଲେ ବିଶ୍ୱବାସୀ । ନୀତି ସଅଳ ହୋଇ ପହଣ୍ଡି ଘଣ୍ଟାଏ ପୂର୍ବରୁ ଆରମ୍ଭ ହେଲା । ରଥଟଣା ମଧ୍ୟ ଧାର୍ୟ୍ୟ ସମୟ ଅପରାହ୍ନ ୪ଟାର ଏକ ଘଣ୍ଟା ପୂର୍ବରୁ ଅର୍ଥାତ୍ ୩ଟାରେ ଆରମ୍ଭ ହେଲା । ହେଲେ ସବୁ ରଥ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚି ପାରିଲାନି । ରଥ ଚାଳନା ସମୟରେ ବାରମ୍ବାର ମୋଡ଼ ନେଲା ରଥ ।ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ, ଦେବଦଳନ ରଥ ବଡ଼ଶଙ୍ଖ ନିକଟରେ ଓ ନନ୍ଦିଘୋଷ ରଥ ମାଉସୀ’ମାଙ୍କ ମନ୍ଦିର ନିକଟରେ ଅଟକିଛି । ପୁଣି ବୁଧବାର ସକାଳେ ଉଭୟ ରଥକୁ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରେ ପହଞ୍ଚାଯିବ । ଭାବବିନୋଦିଆ କାଳିଆ ସାଆନ୍ତ ଭାଇ ଭଉଣୀଙ୍କୁ ସାଥିରେ ନେଇ ଘୋଷଯାତ୍ରାରେ ବାହାରିଲେ । ଭକ୍ତ ଗହଣକୁ ଆସିବାକୁ ବଡ଼ ତରତର ଥିଲେ ଠାକୁରେ । ସେନାପଟା ଲାଗି ସାରି ଦଇତାପତି ବାହାରିଲେ ପ୍ରାତଃ ୫ଟା ୨୦ମିନିଟ୍ରେ । ନିର୍ଦ୍ଧାରିତ ସମୟର ୧୦ ମିନିଟ୍ ପୂର୍ବରୁ ଅର୍ଥାତ୍ ୫ଟା୫୦ ମିନିଟ୍ରେ ଠାକୁରଙ୍କ ମଙ୍ଗଳ ଆଳତି ସରିଲା । ଅବକାଶ ପୂଜା ୩୫ ମିନିଟ୍ ପୂର୍ବରୁ ତଥା ୬ଟା ୨୫ମିନିଟ୍ରେ ସରିଲା । ସକାଳ ଧୂପ ସରିଲା ୮ଟା ୦୫ମିନିଟ୍ରେ । ରଥ ପ୍ରତିଷ୍ଠା ହେଲା ୮ଟା୧୫ମିନିଟ୍ରେ । ମଙ୍ଗଳାର୍ପଣ ୮ଟା୨୦ମିନିଟ୍ରେ ସରି ପହଣ୍ଡି ଆରମ୍ଭ ହେଲା ସାଢ଼େ ୮ଟାରେ । ଅନବସର ପିଣ୍ଡିରୁ ଠାକୁରମାନେ ଧାଡି ପହଣ୍ଡିରେ ବାହାରିଥିଲେ । ଶ୍ରୀମନ୍ଦିର ସାତପାହାଚଠାରେ ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଟାହିଆ ଲାଗି ହେଲା । ଘଣ୍ଟ, ଘଣ୍ଟା, କାହାଳି ଓ ପାରମ୍ପରିକ ନୃତ୍ୟର ପଟୁଆରରେ ସେବକମାନେ ଶ୍ରୀମନ୍ଦିର ସାତପାହାଚ, ଆନନ୍ଦ ବଜାର ଓ ବାଇଶପି।ହାଚ ଦେଇ ସିଂହଦ୍ୱାରେ ପହଞ୍ଚିଲା ।ଠାକୁରଙ୍କୁ ଦେଖିବା କ୍ଷଣି ବଡ଼ଦାଣ୍ଡରେ ପ୍ରତୀକ୍ଷାରତ ଭକ୍ତ ହରିବୋଲ ହୁଳହୁଳି ଧ୍ୱନୀ ଦେଇଥିଲେ । ୧୨ଟା୦୫ ମିନିଟ୍ ସୁଦ୍ଧା ଶ୍ରୀବିଗ୍ରହ ରଥାରୁଢ଼ ହୋଇଥିଲେ । ପ୍ରଥମେ ଶ୍ରୀସୁଦର୍ଶନ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ ହୋଇଥିଲେ । ପରେ ଶ୍ରୀବଳଭଦ୍ରଙ୍କୁ ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା । ବିଧି ଅନୁଯାୟୀ ବଡ଼ଠାକୁରଙ୍କ ତାଳଧ୍ୱଜ ରଥରେ ଶ୍ରୀରାମକୃଷ୍ଣ ଓ ନନ୍ଦିଘୋଷ ରଥରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନଙ୍କୁ ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା । ବଣିଆସେବକଙ୍କ ଦ୍ୱାରା ପ୍ରସ୍ତୁତ ଚିତା ସବୁ ରଥାରୁଢ଼ ବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗି କରାଯାଇଥିଲା । ୧୨ଟା୪୦ମିନିଟ୍ରେ ଚିତାଲାଗି କରାଯାଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରାପହଁରା କାର୍ୟ୍ୟ ସମ୍ପନ୍ନ କରିଥିଲେ । ୨ଟା୪୫ମିନିଟ୍ରେ ତିନି ରଥର ଛେରା ପହଁରା ସମ୍ପନ୍ନ ହୋଇଥିଲା । ଚାରମାଳ ଫିଟା ହୋଇ ରଥରେ ଅଶ୍ୱ ଲାଗିଲା ୨ଟା୫୫ମିନିଟ୍ରେ । ତାଳଧ୍ୱଜ ରଥ ଟଣା ଆରମ୍ଭ ହେଲା ଅପରାହ୍ନ ୩ଟାରେ । ସୋମବାର ରାତି ଅଧରୁ ବଡ଼ଦାଣ୍ଡରେ ଭିଡ଼ ବଢିଥିଲା । ଠାକୁରଙ୍କ ଆଗମନ ପୂର୍ବରୁ ଅସଂଖ୍ୟ ଭକ୍ତଙ୍କ ଭାବାବେଗରେ ବଡ଼ଦାଣ୍ଡ ଉଛୁଳୁଥିଲା ।
ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଥିଲା । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତତଲା ରାସ୍ତା ଭକ୍ତକୁ ଅଧିର କରୁଥାଏ । ହେଲେ ଜଗା ଦର୍ଶନ ଲୋଭରେ ଭିଡ଼ ବଢୁଥିଲା । ରଥ ଯାତ୍ରାରେ ଶ୍ରୀକ୍ଷେତ୍ରରେ ୮ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବା ଆକଳନ କରାଯାଉଛି । ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ବଡ଼ଦାଣ୍ଡରେ ରଥ ଟାଣିବାର ସୌଭାଗ୍ୟ ଲଭିଥିଲେ । ବଡ଼ଦାଣ୍ଡରେ ଆକୁଳ ହେଉଥିଲେ ଅସଂଖ୍ୟ ଭକ୍ତ । ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ସରିଥିଲା । ପ୍ରାୟ ୧୧ଟା ପରକୁ କାଳିଆସାଆନ୍ତେ ସିଂହଦ୍ୱାରେ ପହଞ୍ଚିଲେ । ସିଂହଦ୍ୱାର ଅରୁଣ ସ୍ତମ୍ଭ ନିକଟରେ ଅଟକିଲେ ୩୨ ମିନିଟ୍ । କଳାଶ୍ରୀମୁଖ ଓ ଭକ୍ତଙ୍କ ମଧ୍ୟରେ ଚାଲିଲା ଭାବବିନିମୟ । ପୁଣି ଚାର ମାଳ ଉପରକୁ ଚଢିବାକୁ ମଧ୍ୟ ହଟ କଲେ ଚକାଡୋଳା । ଚାରମାଳ ଉପରେ କିଛି ବାଟ ଯିବାରେ ଠାକୁରେ ଶୋଇଗଲା ଭଳି ସ୍ଥିତି ହେଲା । କିଛି ସେବକ ମଧ୍ୟ ଏଥିରେ ଆହତ ହୋଇଥିଲେ । ଶେଷରେ ସେବକଙ୍କ ଚକା ସିଂହାସନରେ ବିଜେ ହେଲେ ଦାରୁବ୍ରହ୍ମ ।
Powered by Froala Editor