ପ୍ରଫୁଲ୍ଲଙ୍କ ବୟାନକୁ ନେଇ ଏହା କହିଲେ ଅପରାଜିତା
ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମାରିଛନ୍ତି ପାଲଟା ବାଣ। ସେ ଉଦ୍ବେଗ ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇପାରୁନାହାନ୍ତି ବୋଲି କାଲି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ। ଏହା ଏକ ଗୁରୁତର ପ୍ରସଙ୍ଗ, ସେ କାହିଁକି ଅକ୍ଷମ ଓ ତାଙ୍କର କ’ଣ ହୋଇଛି ? ମୁଖ୍ୟମନ୍ତ୍ରୀଙ୍କ ବାବଦରେ ରାଜ୍ୟବାସୀ ଜାଣିବା ଆବଶ୍ୟକ।
ସୂଚନାଯୋଗ୍ୟ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୧୭ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଓଡ଼ିଶାରେ ନିର୍ଦ୍ଦିଷ୍ଟ ନିମ୍ନପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ରାଜନୈତିକ ଜନମତକୁ ଚଞ୍ଚକତା ସହ ହରଣ କରିବାର ପ୍ରୟାସ ହୋଇଛି। ଲାଗୁଛି, ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି, ନିର୍ଦ୍ଦିଷ୍ଟ ସରକାରୀ ବାବୁମାନେ ଶାସନ କରୁଛନ୍ତି। ଏହି ପ୍ରସଙ୍ଗ କାୟା ବିସ୍ତାର କରି ରାଜ୍ୟ ବାହାରେ ଆଲୋଚନା ହେଲାଣି। ଏହା ଓଡ଼ିଆମାନଙ୍କ ଆତ୍ମସମ୍ମାନ ଉପରେ କୁଠାରାଘାତ।
ନାମ ନ ନେଇନଥିଲେ ହେଁ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଇଙ୍ଗିତ କରି ଏଭଳି ଗର୍ଜିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ଏହି ଅଧିକାରୀ ନିଜ ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ଲାଳାୟିତ। ରାଜନୈତିକ ମଞ୍ଚ, ସଭା ସମିତିରେ ଯୋଗଦେବା ପାଇଁ ବ୍ୟାକୁଳ। କିନ୍ତୁ ସରକାରୀ ଚାକିରୀ ଛାଡ଼ି ବିଧିବଦ୍ଧ ଭାବେ ରାଜନୀତିରେ ଯୋଗଦେବାର ସାହସ ନାହିଁ। ବିଜେଡି ଏହି ପ୍ରସଙ୍ଗରେ ଉତ୍ତର ରଖୁ।
ଏଣେ ଏହାର ଜବାବ ଦେଇ ଗଣମାଧ୍ୟମକୁ ପ୍ରଫୁଲ୍ଲ ସାମଲ କହିଥିଲେ,‘ ନବୀନ ବାବୁ ଏବେ ସବୁଆଡ଼େ ଯାଇପାରୁନଥିବାରୁ ସିଏ ତାଙ୍କ ପ୍ରାଇଭେଟ ସେକ୍ରେଟାରିଙ୍କୁ ମଧ୍ୟ ପଠଉଛନ୍ତି।’
Powered by Froala Editor