ଜୁନ୍ ପହିଲାରୁ ୧୭ ଭିତରେ ହୋଇଛି ମାତ୍ର ୧୯ ମିମି ବର୍ଷା

ଭୁବନେଶ୍ୱର: ଜୁନ୍ ପହିଲାରୁ ୧୭ ତାରିଖ ଭିତରେ ୯୧ ମିମି ବର୍ଷା ହେବା କଥା । ହେଇଛି, ମାତ୍ର ୧୯ ମିମି । ୭୯% ନିଅଣ୍ଟିଆ । ପ୍ରଥମ ସପ୍ତାହରୁ ପ୍ରାକ୍ ମୌସୁମୀ ବର୍ଷା ଢାଳି ଥାଆନ୍ତା । ହେଲେ ମୌସୁମୀ ଗାଏବ, ବର୍ଷା ବି । ମୌସୁମୀ ଆସିବା ବେଳକୁ ୨୩ ତାରିଖ ହୋଇଯିବ । ୨୫ ତାରିଖ ବେଳକୁ ଭଲ ବର୍ଷା ହୋଇପାରେ । ସେତେବେଳକୁ ଧାନ ଚାଷ ସ୍ଥିତି ସାଙ୍ଘାତିକ ହୋଇଥିବ । ଏଥରର ଚିତ୍ର ଦେଖି ଏବେଠାରୁ ଚାଷୀର ମନ ମଉଳି ଗଲାଣି।
ଜୁନ୍ ୧୦ରୁ ୧୨ ତାରିଖ ଭିତରେ ସ୍ୱାଭାବିକ ଭାବେ ମୌସୁମୀ ଓଡ଼ିଶାରେ ବର୍ଷା କରାଏ । ତା ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷା ହୁଏ । ଏ ସମୟରେ ଚାଷ କାମ ଆଗେଇଥାଏ । ଜମି ହଳ କରିବାଠାରୁ ନେଇ ତଳି ବୁଣିବା କାମ ସରେ । ହେଲେ ଏଥର ବର୍ଷାର ଦେଖା ନାହିଁ । ବର୍ଷା ହେବାରେ ୧୫ଦିନ ବିଳମ୍ବ ହେଲାଣି । ଆକାଶରୁ ନିଆବର୍ଷା ହେଉଛି । ପ୍ରଚଣ୍ଡ ରୌଦ୍ର ତାପରେ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି । ମାଟି ଶୁଖି ଆଁ କରିଛି । ଏଭଳି ସ୍ଥିତିରେ ଚାଷ କାମ କେମିତି ଆଗେଇବ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛି । କେବେ ତଳି ବୁଣିବ ଆଉ କେବେ ରୁଆ ହେବ, କିଛି ବୁଦ୍ଧି ବାଟ ଦିଶୁନି ।
ବିଳମ୍ବିତ ମୌସୁମୀ ଯୋଗୁ ସ୍ୱାଭାବିକ ବର୍ଷା ଅବଧି ଏବେ ୧୫ ଦିନ ଘୁଞ୍ଚିଲାଣି । ପୁଣି ଏଲ୍ନିନୋ ପ୍ରଭାବରେ ମୌସୁମୀ ଶେଷ ଆଡ଼କୁ ଶୀଘ୍ର ଶୁଖିଯିବ । ମୌସୁମୀ ଅବଧି କମିବା ଯୋଗୁ ହାରାହାରି ବର୍ଷା ପରିମାଣ କମିବ । ଏହା ଚାଷକୁ ଉଜାଡ଼ିଦେବ ବୋଲି ଅନ୍ୟ ବିଶେଷଜ୍ଞମାନେ କହୁଛନ୍ତି । ପୁଣି ବିଶ୍ୱ ତାପମାନ ହାରାହାରି ଦେଢ଼ ଡିଗ୍ରୀ ବଢ଼ିଲାଣି । ହିଟ୍ ଷ୍ଟ୍ରେସ୍ ଏବଂ ୱାଟର ଷ୍ଟ୍ରେସ୍ର ଶିକାର ହେବା ଯୋଗୁ ଚାଷ ଭପ ହେବନି ଓ ଉତ୍ପାଦନ କ୍ଷମତା କମିଯିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।
ରାଜ୍ୟରେ ଆହୁରି ୩ଦିନ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Powered by Froala Editor