ବାହାନଗା ଟ୍ରେନ ଦୁର୍ଘଟଣା: ୨୯୧ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
କଟକ: ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆଉ ଜଣେ ଆହତଙ୍କର ଶନିବାର ଏସ୍ସିବି ମେଡିକାଲରେ ମୃତ୍ୟୁ ଘଟିଛି । ମୃତକ ହେଲେ ବିହାରର ସୋହେଲ ମନସୁର । ସେ ଏସସିବି ଟ୍ରମା ଆଇସିୟୁ ଚିକିତ୍ସିତ ହେଉଥିଲେ । ମନସୁରଙ୍କ ମୃତ୍ୟୁ ସହ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ୨୯୧ରେ ପହଞ୍ଚିଛି । ଏହାକୁ ମିଶାଇ ଏସ୍ସିବିରେ ୩ଜଣଙ୍କର ମୃତ୍ୟୁ ଘଟିଥିବାର ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ମୁତାବିକ, ଟ୍ରେନ ଦୁର୍ଘଟଣାରେ ସୋହେଲଙ୍କ ମୁଣ୍ଡ ସମେତ ଶରୀରରେ ବିଭିନ୍ନ ଅଙ୍ଗରେ ଗଭୀର ଆଘାତ ଲାଗିଥିଲା। କ୍ଷତରୁ ପ୍ରବଳ ରକ୍ତସ୍ରାବ ହେବାରୁ ସେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଏସସିବି ଟ୍ରମା ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ଶରୀରରେ ଅସ୍ବାଭାବିକ ପରିବର୍ତ୍ତନ ହେବାରୁ ସେ ଅଧିକ ଗୁରୁତର ହୋଇପଡି ମୃତ୍ୟୁବରଣ କରିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ମନସୁରଙ୍କ ମୃତ୍ୟୁ ଏସ୍ସିବିରେ ତୃତୀୟ ଘଟଣା।
Powered by Froala Editor